ଚିତ୍ରକୋଣ୍ଡା ୫/୬ : ପାପେରମେଟାଲ ପଂଚାୟତରେ କାଳବୈଶାଖୀ ଉଗ୍ରରୂପ ଦେଖିଛନ୍ତି ଗାଁ ଲୋକେ । ସ୍କୁଲ ଘରଠୁ ନେଇ ଗାଁରେ ଥିବା ଅନେକ ଘରର ଟିଣ ଛପର ଉଡିଯାଇଛି । ବଡ ବଡ ଗଛ ମଧ୍ୟ ଭାଙ୍ଗି ଉପୁଡି ପଡିଛି । ଏହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ଏହି ଅଚଂଳରେ । ଏହି ସମୟରେ ପିଲାମାନେ କେଉଁଠି ପାଠ ପଢିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । କିଭଳି ସ୍କୁଲ ଓ ଘରର ମରାମତି ହେବ ସେ ନେଇ ଗାଁ ଲୋକେ ଚିନ୍ତାରେ ଅଛନ୍ତି । ପଂଚାୟତର ଅନେକ ଘର ଭୁଷୁଡି ପଡି ନଷ୍ଟ ହୋଇଯାଇଛି । ଭଙ୍ଗା ଘରେ ହିଁ ରୋଷେଇ କରି ଖାଇବା ଶୋଇବା ଦେଖିବାକୁ ମିଳୁଛି ।
ପଶ୍ଚିମ ଓଡିଶାରେ ବି କାଳବୈଶାଖୀର ତାଣ୍ଡବ ଜାରି ରହିଛି । କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ମୁଣ୍ଡିଲେସା ଗ୍ରାମରେ ଝଡତୋଫାନ ଓ କୁଆପଥର ମାଡ ହୋଇଛି । ପ୍ରାୟ ଏକଘଂଟାରୁ ଅଧିକ ସମୟ ଧରି କୁଆପଥର ମାଡ ହେବା ଫଳରେ ଘରର ଛପର ଓ ଆଜବେଷ୍ଟସ ଭାଙ୍ଗି ନଷ୍ଟ ହୋଇଯାଇଛି । ଆକଶରୁ ପଡିଥିବା କୁଆପଥରର ଓଜନ ୩ ଶହରୁ ୪ ଶହ ଗ୍ରାମ ରହିଥିବା ଗାଁ ଲୋକେ କହିଛନ୍ତି । ପନିପରିବା ଓ ଆମ୍ବ ସବୁ ଝଡି ନଷ୍ଟ ହୋଇଯାଇଛି ।