ରାଜନୀତି

କାଳିଆ ଯୋଜନାକୁ ନେଇ ତେଜିଲା ରାଜନୀତି : ଶାସକ-ବିରୋଧୀ ମୁହାଁମୁହିଁ

Published

on

ଭୁବନେଶ୍ୱର ୩୦/୧୨ : କାଳିଆ ଯୋଜନାକୁ ନେଇ ଏବେ ରାଜନୀତି ଜୋର ଧରିଲାଣି । ଶାସକ ଓ ବିରୋଧୀ ଦଳ ପରସ୍ପର ବିରୁଦ୍ଧରେ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ କରିଦେଇଛନ୍ତି । ‘କାଳିଆ’ ଯୋଜନା ଆରମ୍ଭ କରି ଭୋଟ ହାତେଇବା ପାଇଁ ବିଜେଡ଼ି ସରକାର ଭେଳିକି ଦେଖାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ ଏହି ଯୋଜନାକୁ ଦେଖି ବିରୋଧୀ ଛାନିଆ ହୋଇଯାଇଛନ୍ତି ବୋଲି ଶାସକ ଦଳ ଅଭିଯୋଗ କରିଛି ।
କାଳିଆ ଯୋଜନାର ଯଥାର୍ଥତା ସମ୍ପର୍କରେ ପ୍ରଶ୍ନ ଉଠାଇ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର ଏହି ଯୋଜନାକୁ ଅତିରିକ୍ତ ବଜେଟରେ ସାମିଲ କଲେନାହିଁ କାହିଁକି ? ସରକାରଙ୍କ ମନରେ ପାପ ରହିଛି । ଚାଷୀଙ୍କୁ କଳାକନା ବୁଲାଇ ସରକାର ‘କାଳିଆ’ର ସାହାରା ନେଇଛନ୍ତି । ଭୋଟ ହାତେଇବା ପାଇଁ ବିଜେଡ଼ି ଏଭଳି ଯୋଜନା ଆଣିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ତେଣେ କଂଗ୍ରେସ ଏହି ଯୋଜନା ସମ୍ପର୍କରେ ସରକାରଙ୍କୁ ଆକ୍ଷେପ କରି କହିଛି ଯେ, ‘ଅଣ୍ଟିରେ ଧନ ନାହିଁ, ପୁଅ ବାହାଘର ପାଇଁ ମନ’ । ‘କାଳିଆ’ ନାଁରେ ଚାଷୀଙ୍କୁ ପ୍ରତାରିତ କରିବା ପାଇଁ ସରକାର ଚେଷ୍ଟା କରିଛନ୍ତି । କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଯୋଜନା ଆରମ୍ଭ କରାଯାଇଛି । ଏହା ନାବାର୍ଡର ପୁରୁଣା ଯୋଜନା । କଂଗ୍ରେସ ଘୋଷଣା କରିଥିବା ଯୋଜନା ସହ ଏହା କ’ଣ ସମକକ୍ଷ ହୋଇପାରିବ ବୋଲି ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଋଣ ଛାଡ କଲେ ଅର୍ଥନୀତି ପ୍ରଭାବିତ ହେବ ବୋଲି ରାଜ୍ୟ ସରକାର କରୁଛନ୍ତି । ତେବେ୧୮ ବର୍ଷରେ ରାଜ୍ୟର ଋଣ ବୋଝ କିଭଳି ୯୩ ହଜାର କୋଟିରେ ପହଂଚିଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ବିଜେଡ଼ି ପକ୍ଷରୁ ଏହାର ଜବାବ ରଖି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଯେ, ବିରୋଧୀ ଦଳ ପ୍ରଥମେ ‘କାଳିଆ’ ଯୋଜନା ପ୍ରକୃତରେ କ’ଣ ତାହା ଆଗ ଭଲ ଭାବରେ ବୁଝନ୍ତୁ, ତା’ପରେ ମତାମତ ଦେବେ । ବିରୋଧୀ ଦଳ ହତାଶ ହୋଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଚାଲିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନାକୁ ଦେଖି ବିରୋଧୀ ଦଳରେ ଭୟ ପଶିଯାଇଛି । ଏହି ଯୋଜନା ଦ୍ୱାରା ୬୩ ଲକ୍ଷ ଚାଷୀ ଉପକୃତ ହେବେ ଏବଂ ଦେଢ଼ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version