ଭୁବନେଶ୍ୱର ୭/୬ : କାଳିଆ ଯୋଜନାରେ ଚାଷୀଙ୍କ ହିତ ପାଇଁ ଅଧିକ ୩୨୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୋଜନାରେ ୩୨ ଲକ୍ଷରୁ ଅଧିକ ଭାଗ ଚାଷୀ ଓ ଭୁମିହୀନ ଚାଷୀଙ୍କୁ ଲାଭ ମିଳିବ । ଏହା ସହ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପୃକତ ହୋଇପାରିବେ । ମୋଟ ୭୫ ଲକ୍ଷ ଚାଷୀ ହେବ ଉପକୃତ ।
ସୂଚନାଯୋଗ୍ୟ ଜୁନ୍ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବିଜ୍ଞପ୍ତିରେ ଦର୍ଶାଯାଇଥିଲା ୨୦୧୮-୧୯ରେ ୪୨.୬୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୯-୨୦ରେ ସେହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡ଼ା ଯାଇଥିଲା ।
ନବୀନ ସରକାର ପଞ୍ଚମ ଥର ପାଇଁ କ୍ଷମତାସୀନ ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଅତିରିକ୍ତ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାର ସୁବିଧା ଦେବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ଏହି ତାଲିକାରେ ଅଛନ୍ତି ୭.୫ ଲକ୍ଷ ଓ ୨୪.୮୪ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାର । ଏହା ଫଳରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି ।