ଶ୍ରୀନଗର: କାଶ୍ମୀରର ସୁବାସିତ ସାଫ୍ରନକୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡକେସନ) ଟ୍ୟାଗ ମିଳିଛି।
“କାଶ୍ମୀର ଉପତ୍ୟକାର ଏହି ସାଫ୍ରନ ବ୍ରାଣ୍ଡକୁ ବିଶ୍ୱ ସ୍ୱୀକୃତି ଦେବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ”, ବୋଲି ଉପ-ରାଜ୍ୟପାଳ ଜିସି ମୁର୍ମୁ କହିଛନ୍ତି।
ମୁର୍ମୁ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳଭାବେ ଶପଥ ନେବାପରେ ବ୍ୟକ୍ତିଗତ ଭାବେ କାଶ୍ମୀର ସାଫ୍ରନର ଜିଆଇ ସାର୍ଟିଫିକେଟସନ ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। କେନ୍ଦ୍ର ସରକାର କାଶ୍ମୀର ସାଫ୍ରନକୁ ଜିଆଇ ପ୍ରମାଣପତ୍ର ଶନିବାର ପ୍ରଦାନ କରିଛନ୍ତି।
କାଶ୍ମୀର ସାଫ୍ରନ ପୃଥିବୀର ଏକମାତ୍ର ସାଫ୍ରନ ଯାହା ୧୬୦୦ ମିଟର ଉଚ୍ଚତାରେ ଚାଷ ହୋଇଥାଏ। ଲମ୍ବା ଏବଂ ମୋଟା କେସର, ଗାଢ଼ ଲାଲ ରଙ୍ଗ, ଚମତ୍କାର ମହକ, ତୀବ୍ର ସ୍ୱାଦ ଏବଂ ରସାୟନ ରହିତ ପଦ୍ଧତି ଯୋଗୁଁ ଏହା ଅନ୍ୟ ସାଫ୍ରନ ଠାରୁ ଭିନ୍ନ।
ନ୍ୟାସନାଲ ମିଶନ ଅନ ସାଫ୍ରନର ଉଦ୍ୟମ ଫଳରେ ଚଳିତ ଋତୁରେ ସାଫ୍ରନର ପେଣ୍ଠସ୍ଥଳ କୁହା ଯାଉଥିବା ପାମ୍ପୋରରେ ପ୍ରଚୁର ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ସାଫ୍ରନ ମିଶନ ଅଧୀନରେ କେନ୍ଦ୍ର ସରକାର ୪୧୧ କୋଟି ଟଙ୍କା ବ୍ୟୟରେ ୩୭୧୭ ହେକ୍ଟର ଜମିରେ ସାଫ୍ରନ ଚଷ ଉପଯୋଗୀ କରିବାର ଯୋଜନା ରଖିଛନ୍ତି। ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ହୋଇପାରିଛି।