ଡ଼ଲଫିନ ପ୍ରଧାନ
ଥିରୁବନନ୍ତପୁରମ୍: କରିପୁରରେ ହୋଇଥିବା ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିବା ସମସ୍ତ ଲୋକଙ୍କୁ କେରଳ ସରକାର ସଙ୍ଗରୋଧରେ ରଖି କରୋନା ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ଯାତ୍ରୀଙ୍କ ଠାରେ କରୋନା ପଜିଟିଭ୍ ଭୁତାଣୁ ମିଳିବ ପରେ କେରଳ ସରକାର ଏହି ନିର୍ଦେଶ ଦେଇଛନ୍ତି।
ମୃତ ଯାତ୍ରୀଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯାଉଥିବା ଅଧିକାରୀମାନେ କହିଛନ୍ତି।
ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିବା ପ୍ରାୟ ୫୦୦ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ଜଣାପଡିଛି। ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ଶନିବାର ସକାଳେ ଜାରି ବିବୃତ୍ତିରେ ଉଦ୍ଧାର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କୁ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ କହିଛନ୍ତି।
ସ୍ଥାନୀୟ ବାସିନ୍ଦା, ବିମାନବନ୍ଦର କର୍ମଚାରୀ, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ, ଡ୍ରାଇଭର ଏବଂ ମିଡିଆ କର୍ମଚାରୀମାନେ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକାଠି କାମ କରିଥିଲେ। ସର୍ବାଧିକ ସଂଖ୍ୟକ ଯାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାରୁ ସେମାନେ କୋଭିଡ ପ୍ରୋଟୋକଲ୍ ଅନୁସରଣ କରିପାରିଲେ ନାହିଁ | ବିମାନ ବନ୍ଦର ଏକ କଣ୍ଟେଣ୍ଟମେଣ୍ଟ ଜୋନରେ ପଡେ, ସେଥିପାଇଁ ସମସ୍ତ ଉଦ୍ଧାର କର୍ମଚାରୀ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା ତଥା ସମାଜର ସୁରକ୍ଷା ପାଇଁ ସଜାଗ ରହିବା ଉଚିତ ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା କହିଛନ୍ତି।