ଭୁବନେଶ୍ୱର ୧୦/୧୨ : ସୋମବାର ଭୁବନେଶ୍ୱରରେ କୋଣାର୍କ ସୁରକ୍ଷାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ, କୋଣାର୍କ ସୁରକ୍ଷାକୁ କେନ୍ଦ୍ର ସରକାର ଗୁରୁତର ସହିତ ନେଇଛନ୍ତି । କୋଣାର୍କ ମନ୍ଦିରର ସୁରକ୍ଷା ଓ ମନ୍ଦିରରୁ ପଥର ଖସିବା ଘଟଣାର ଯାଂଚ କରିବା ପାଇଁ ୧ ମାସ ଭିତରେ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ କୋଣାର୍କ ମନ୍ଦିରର କୀର୍ତ୍ତିରାଜି ଓ ସଂରକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା ।
ଅନ୍ତର୍ଜାତୀୟ ବିଶିଷ୍ଟ ବିଶେଷଜ୍ଞଙ୍କୁ ଏହି ଟିମରେ ସାମିଲ କରାଯିବ ବୋଲି ମହେଶ ଶର୍ମା ସୂଚନା ଦେଇଛନ୍ତି । ଏହି କମଟି କୋଣାର୍କ ମନ୍ଦିର ଅନୁଧ୍ୟାନ କରି ରିପୋର୍ଟ ଦେବ । ରାଜ୍ୟ ସରକାର ଶନିବାର ଦିନ କୋଣାର୍କ ମନ୍ଦିର ଓ ନବଗ୍ରହ ମନ୍ଦିରକୁ ଫି ଛାଡ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଏହି ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଂସ୍କୃତି ସଚିବ ଓ ନିର୍ଦ୍ଦେଶକ ଓ କାକଟପୁର ଓ ନିମାପଡା ବିଧାୟକ ଉପସ୍ଥିତ ଥିଲେ ।