କୋଣାର୍କ ୯/୬ : କୋଣାର୍କ ସୂର୍ୟ୍ୟ ମନ୍ଦିରକୁ ପ୍ରବେଶ ପାଇଁ ଟିକେଟରେ ବ୍ୟାପକ କଳାବଜାରୀ ହେଉଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହେଉଥିଲା । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘଟଣା ପଦାକୁ ଆସିବା ପରେ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ମୁତାବକ, ସୂର୍ୟ୍ୟମନ୍ଦିରରେ ପ୍ରବେଶ ସମୟରେ ହିଁ ପର୍ୟ୍ୟଟକଙ୍କ ନିକଟରୁ ଟୋକ୍ନଗୁଡ଼ିକ ସଂଗ୍ରହ କରି ରଖି ଦିଆଯାଇଥାଏ । ଅନ୍ୟପକ୍ଷରେ କେତେକ ଟୋକନ୍କୁ ସ୍କାନିଂ ନକରାଯାଇ ପର୍ୟ୍ୟଟକଙ୍କୁ କଳାବଜାରୀରେ ବିକ୍ରି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏପରିକି ନିକଟରେ ମନ୍ଦିର ପରିଦର୍ଶନରେ ଆସିଥିବା ଏଏସ୍ଆଇ ଏଡିଜି ଏସମ୍ପର୍କରେ ଅବଗତ ହେବାପରେ ସ୍ଥାନୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।
ତାଜମହଲକୁ ଅଧିକ ପର୍ୟ୍ୟଟକଙ୍କ ଆଗମନ ହେଉଥିଲେ ମଧ୍ୟ ସେଠାରେ ଟୋକନ୍ ହେରଫେର୍ ହେଉନଥିବା ସମୟରେ କୋଣାର୍କରେ କାହିଁକି ହେଉଛି ସେନେଇ ସେ କୈଫିୟତ ତଲବ କରିଥିଲେ । ଏହା ପରେ କିଛିଦିନ ଟୋକନ ବ୍ୟବସ୍ଥା ସୁରୁଖୁରୁରେ ଚାଲିବା ପରେ ପୁଣି ଘୋଟଲା ଆରମ୍ଭ ହୋଇଛି । ଗତକାଲି ଜଣେ ପର୍ୟ୍ୟଟକଙ୍କୁ ଜଣେ ଫଟୋଗ୍ରାଫର୍ ଟିକେଟ୍ କଲବଜାରୀ କରୁଥିବା ଜଣାପଡ଼ିଥିଲା । ଏଥିରେ ମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଏକ ଘରୋଇ ସଂସ୍ଥାର ଜଣେ ସୁରକ୍ଷାକର୍ମୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଥିଲା ।
ଏ ସମ୍ପର୍କରେ ଏଏସ୍ଆଇର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସ୍ଥାନୀୟ ଅଧିକାରୀ ଥାନାରେ ଅଭିଯୋଗ କରିଛନ୍ତି । ଏଏସ୍ଆଇର ଟିକେଟ୍ କାଉଣ୍ଟରରୁ ପ୍ରତ୍ୟେହ ୫୦ରୁ ୧୦୦ ଟୋକନ୍ ଏଟିଏମ୍ ସ୍ୱାଇପ୍ କରାଯାଇ ୩୫ ଟଙ୍କା ଦରରେ ଅଣାଯାଇ ଫଟୋଗ୍ରାଫର,ବ୍ୟବସାୟୀ ଓ ଦଲାଲଙ୍କ ମାଧ୍ୟମରେ ପର୍ୟ୍ୟଟକଙ୍କୁ ୪୦ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।