Health

କୋଭିଡ ପାଇଁ ସଜାଗ ରୁହ: ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦେଶ

Published

on


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଏକ ବୈଠକରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ତୃଣମୂଳସ୍ତରରେ କୋଭିଡ ପରିଚାଳନା ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ମନରେ ଯେପରି ଭରସା ସୃଷ୍ଟି ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ସତର୍କ ନଜର ରଖାଯିବ। ପଶ୍ଚିମ ଓଡିଶାର ଅଧିକ ପ୍ରଭାବିତ ଅଞ୍ଚଳକୁ ମୁଖ୍ୟ ଶାସନ ସଚିବ, ଓ ବରିଷ୍ଠ ଅଧିକାରୀମାନେ ଗସ୍ତ କରିବେ ଏବଂ ପରିସ୍ଥିତିର ଆକଳନ କରି ଜରୁରୀ ପଦକ୍ଷେପ ଗ୍ରହଣ କରିବେ।

   

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ଥିତି ଆକଳନ କରି ଦରକାର ଅନୁସାରେ ଡାକ୍ତର, ପାରାମେଡିକ୍‌ସ, ଲାବ୍‌ ଟେକ୍‌ନିସିଆନ ମାନଙ୍କୁ ନିୟୋଜିତ କରି ସେଠାରେ ମାନବ ସମ୍ବଳକୁ ମଜବୁତ କରାଯିବ।

ଆବଶ୍ୟକସ୍ଥଳେ ହସ୍‌ପିଟାଲ ଗୁଡିକରେ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବ। ଅକ୍‌ସିଜେନ ସୁବିଧା ସହିତ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍‌ସକୁ ମୁତୟନ କରାଯିବ।

ଜରୁରୀ କଲ୍‌ ଗୁଡିକୁ ଗୁରୁତର ସହ ନେଇ ତତ୍ପରତାର ସହ ଯେପରି ପଦକ୍ଷେପ ନିଆଯିବ, ସେଥିପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରାଯିବ ।

କୋଭିଡ ନିୟମାବଳୀର କଡାକଡି ଅନୁପାଳନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ମୁତୟନ କରାଯାଇ ୧୦ ଦିନ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ।

ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବିଷୟରେ ବ୍ୟାପକ ସଚେତନତା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ।

ସଚେତନତା ତଥା କୋବିଡ ନିୟମର ଅନୁପାଳନ ନିମନ୍ତେ ଜିଲ୍ଲାପାଳ ମାନେ ସମାଜର ସବୁ ବର୍ଗର ଜନସାଧାରଣ, ବିଶେଷତଃ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗ୍ରୁପ ଆଦିଙ୍କୁ ନେଇ ବ୍ୟାପକ କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରିବେ।

ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ (Office, Educational Institutions, Business Establishment etc.) କୋଭିଡ ନିୟମ ପାଳନକୁ କଡାକଡି ପାଳନ ପାଇଁ ତଦାରଖ ବ୍ୟବସ୍ଥାକୁ ମଜବୁତ କରାଯିବ।

କୋଭିଡର ପ୍ରଥମ ଲହରୀ ଆମେ ସମସ୍ତେ ଅନୁଭବ କରିଛୁ । ଯେହେତୁ ଏହା ଲୋକଙ୍କ ଜୀବନମରଣ ସହ ଜଡିତ, ତେଣୁ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ ନିୟମାବଳୀ ପାଳନ କରିବା ଏବଂ ସଂକ୍ରମଣ ନିୟନ୍ତ୍ରଣରେ ସରକାରଙ୍କ ସହ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ନବରଙ୍ଗପୁରର ଖ୍ରୀଷ୍ଟିଆନ ହସ୍‌ପିଟାଲରେ ଖୋଲା ଯାଇଥିବା କୋଭିଡ ହସ୍‌ପିଟାଲର ପ୍ରାପ୍ୟ ୪୫ ଲକ୍ଷ ୬୦ ହଜାର ଟଙ୍କା ଏପର୍ଯ୍ୟନ୍ତ ନାଲ୍‌କୋ ପକ୍ଷରୁ ପଇଠ କରାଯାଇ ନଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯିବା ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ବର୍ତ୍ତମାନ କୋଭିଡର ସ୍ଥିତି ଏବଂ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଭୁବନେଶ୍ବର-କଟକର ମ୍ୟୁନିସପାଲ କମିଶନର ମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ତଥା କୋଭିଡ ନିୟମର ଅନୁପାଳନ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version