ଭୁବନେଶ୍ୱର ୨୧/୨ : କ୍ୟାପିଟାଲ ହସ୍ପିଟାଲରେ ଶିଶୁଙ୍କ ପାଇଁ ଦୁଇଟି ଉନ୍ନତମାନର ଚିକିତ୍ସା ସୁବିଧା ଆରମ୍ଭ ହୋଇଛି । ଶିଶୁଙ୍କ ଦାନ୍ତର ଚିକିତ୍ସାପାଇଁ ଅତ୍ୟାଧୁନିକ ଓଟିର ଶୁଭାରମ୍ଭ ହୋଇଥିବାବେଳେ ଶିଶୁ ୱାର୍ଡରେ ଆଇସିୟୁ କାର୍ୟ୍ୟକ୍ଷମ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଶିଶୁଙ୍କ ଦାନ୍ତର ଚିକିତ୍ସା ନେଇ କୌଣସି ବ୍ୟବସ୍ଥା ନଥିଲା । ବିଶେଷକରି ୧୮ବର୍ଷରୁ କମ୍ ବୟସର ଶିଶୁମାନେ ଏଠାରେ ଦାନ୍ତ ଚିକିତ୍ସା କରିପାରୁ ନଥିଲେ । ସେମାନଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ଏହି ଅତ୍ୟାଧୁନିକ ଓଟି ପ୍ରତିଷ୍ଠା କରାଯାଇଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହାଦ୍ୱାରା ଅଙ୍ଗନବାଡି ଓ ବିଦ୍ୟାଳୟରେ ପାଠ ପଢୁଥିବା ଛୋଟଛୋଟ ଶିଶୁ ଓ ଛାତ୍ରଛାତ୍ରୀମାନେ ସୁବିଧାରେ ଏଠାରେ ସେମାନଙ୍କର ଦାନ୍ତର ଚିକିତ୍ସା କରିପାରିବେ ।
ସେହିଭଳି ହସ୍ପିଟାଲର ଶିଶୁ ୱାର୍ଡରେ ବନ୍ଦହୋଇ ପଡିଥିବା ଶିଶୁ ଆଇସିୟୁ (ପିକୁ) ପୁଣିଥରେ କାର୍ୟ୍ୟକାରୀ ହୋଇଛି । ଏଥିପାଇଁ କର୍ତ୍ତୃପକ୍ଷ ୧୦ଜଣ ପ୍ରଶିକ୍ଷଣପ୍ରାପ୍ତ ନର୍ସଙ୍କ ସମେତ ଜଣେ ଶିଶୁ ବିଶେଷଜ୍ଞ ଓ ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି ।
୧୪ବର୍ଷ ବୟସରୁ କମ୍ ବୟସର ପିଲାମାନେ ଏଠାରେ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି ।