ରାଜ୍ୟ

କ୍ୟାବିନେଟ ବୈଠକ : କୃଷକଙ୍କ ବିକାଶ ପାଇଁ ୧୦ ହଜାର କୋଟିର କାଳିଆ ଯୋଜନା ଓ ୪ ଲକ୍ଷ ଟଙ୍କାର ବୀମା

Published

on

ଭୁବନେଶ୍ୱର ୨୧/୧୨ : କଷି ଓ କୃଷକଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେବ ୧୦ ହଜାର କୋଟି ଟଙ୍କାର ‘କାଳିଆ’ ଯୋଜନା । ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କିଛି ବର୍ଷ ଧରି ବିଜେଡ଼ି ସରକାର କୃଷକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବାରୁ ରାଜ୍ୟର ବହୁ ଲୋକ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଆସିଛନ୍ତି । ‘କାଳିଆ’ ଯୋଜନା ମାଧ୍ୟମରେ କୃଷି କ୍ଷେତ୍ର ପାଇଁ ସହାୟତା ସହିତ କୃଷକମାନଙ୍କ ଜୀବନଜୀବିକାର ବିକାଶ ଓ ଆୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯିବ । ‘କାଳିଆ’ ଯୋଜନାରେ କୃଷକଙ୍କ ବିକାଶ ପାଇଁ ମୋଟ ୫ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ‘କାଳିଆ’ ଯୋଜନାରେ ଆସନ୍ତା ୩ ବର୍ଷ ମଧ୍ୟରେ ୧୦ ହଜାର ୧୮୦ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ପରବର୍ତ୍ତୀ ସମୟରେ ସ୍ଥିତି ସମୀକ୍ଷା କରାଯାଇ ଏହି ପାରିମାଣ ବୃଦ୍ଧି କରାଯିବ ।
ପ୍ରଥମଟି ହେଲା, କୃଷି ପାଇଁ କୃଷକଙ୍କୁ ସହାୟତା । ଏହି କାର୍ଯ୍ୟକ୍ରମରେ ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ଖରିଫ ଓ ରବି ଋତୁରେ ୫ହଜାର ଟଙ୍କା ଲେଖାଏ ମୋଟ୍ ୧୦ ହଜାର ଟଙ୍କାର ସହାୟତା ଦିଆଯିବ । ଏହାଦ୍ୱାରା ରାଜ୍ୟର ୩୦ ଲକ୍ଷ ଚାଷୀ ଉପକୃତ ହେବେ ।
ଦ୍ୱିତୀୟରେ ଭୂମିହୀନ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏଥିରେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଭୂମିହୀନ ପରିବାର ଉପକୃତ ହେବେ । ଛେଳି, କୁକୁଡ଼ା, ବତକ ପାଳନ ସହ ମତ୍ସ୍ୟ ଚାଷୀଙ୍କ ପାଇଁ ଉପକରଣ ଓ ସହାୟତା ବାବଦରେ ପ୍ରତି ପରିବାରକୁ ୧୨ ହଜାର ୫ ଶହ ଟଙ୍କା ଯୋଗାଇ ଦିଆଯିବ । ଏହା ଛତୁଚାଷ ଓ ମହୁମାଛି ଚାଷ ପାଇଁ ମଧ୍ୟ ଏହା ଉପଲବ୍ଧ ହେବ ।
ତୃତୀୟରେ ଅସହାୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ପରିବାର ପିଛା ବାର୍ଷିକ ୧୦ ହଜାର ଟଙ୍କାର ସହାୟତା ମିଳିବ । ଗ୍ରାମପଂଚାୟତ ସ୍ତରରେ ଏମାନଙ୍କୁ ଚିହ୍ନଟ କରାଯିବ । ୨ ବର୍ଷରେ ଏ ପ୍ରକାରର ୧୦ ଲକ୍ଷ ପରିବାରକୁ ‘କାଳିଆ’ ଯୋଜନାରେ ସାମିଲ କରାଯିବାର ଲକ୍ଷ ରଖାଯାଇଛି ।
ଚତୁର୍ଥରେ କୃଷକ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ବୀମା ଓ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ପ୍ରଦାନ କରାଯିବ । ଏଥିରେ ପ୍ରାୟ ୫୭ ଲକ୍ଷ ପରିବାର ଉପକୃତ ହେବେ ।
ପଂଚମରେ ‘କାଳିଆ’ ଯୋଜନାରେ ଗରିବ ଚାଷୀମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯିବ ।
ତେବେ କ୍ୟାବିନେଟ ବୈଠକରେ କୃଷି ଋଣ ଛାଡ ପାଇଁ କୋ÷ଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାର କାରଣ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୩୨ ଲକ୍ଷ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଲକ୍ଷ ଚାଷୀ ପ୍ରାୟ ଋଣ ନେଇନଥାନ୍ତି । ଯେଉଁ ୨୦ ଲକ୍ଷ ଚାଷୀ ଋଣ ନେଇଥାନ୍ତି ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଋଣ ପରିଶୋଧ କରିଥାନ୍ତି । ଅବଶିଷ୍ଟ ୪୦ ପ୍ରତିଶତ ଚାଷୀ ଋଣ ପରିଶୋଧ କରିନଥାନ୍ତି । କୃଷି ଋଣ ଛାଡ କରାଗଲେ ସମସ୍ତ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ ନାହିଁ । ତେଣୁ ସରକାର କୃଷି ଋଣ ଛାଡ଼ ନ କରିବା ପାଇଁ ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version