ବ୍ରହ୍ମପୁର ୨୫/୧୨ : ଗଞ୍ଜାମ ପୋଲିସ ମଙ୍ଗଳବାର ଦୁଇଟି ଏନକାଉଣ୍ଟର କରିଛି । ଏଥିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ପୋଲିସ ପ୍ରଥମେ ଖଲିକୋଟର ଗୁଡ଼ିଢ଼େପରେ ଚଢ଼ାଉ କରିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାପାଇଁ ଉଦ୍ୟମ କରିଥିଲା । ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା ଯୋଗୁଁ ତା’ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଫଳରେ ପୋଲିସ ତାକୁ ସେଠାରେ ଗିରଫ କରିବାରେ ସକ୍ଷମ ହୋଇଥିଲା । ତା’ଠାରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ଗୋଟିଏ ବାଇକ୍ ଜବତ କରାଯାଇଛି ।
ସେହିପରି ଜଗନ୍ନାଥପ୍ରସାଦ ଥାନା ଅଂଚଳର କରଡ଼ାବଣି ଜଙ୍ଗଲରେ ଲୁଚିଥିବାବେଳେ ପୋଲିସ ଗୁଳିରେ ବାବୁ ନାଏକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ତା ଠାରୁ ଦୁଇଟି ପିସ୍ତଲ ଓ ଗୋଟିଏ ବାଇକ୍ ଜବତ ହୋଇଛି । ସେ କିଛିଦିନ ତଳେ ବ୍ରହ୍ମପୁର ଏକେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବାବେଳେ ସେଠାରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ୫ଜଣ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିଲେ ।