ଦଶପଲା ୨/୬ : ବୁଗୁଡ଼ା କଲୋନୀ ଅଂଚଳକୁ ଗତକାଲି ରାତିରେ ହାତୀପଲ ପଶି ଆସି ବ୍ୟାପକ ପଣସ ନଷ୍ଟ କରିଛନ୍ତି । ଏହି ହାତୀପଲ୍ଲ ସ୍ଥାନୀୟ ବିରିଗଡ଼ ପାହାଡ଼ରୁ ଆସି ଗାଁମୁହାଁ ହୋଇଥିବା ବେଳେ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ହାତୀପଲ ଏବେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ଟାରେ ଏହି ହାତୀପଲ ଗାଁ ନିକଟବର୍ତ୍ତୀ ହୋଇଥିଲେ ।
ହାତୀଙ୍କ ଗର୍ଜନ ଶୁଣି ଅଂଚଳବାସୀ ଭୟରେ ରହିବା ସହ ବନବିଭାଗକୁ ସୂଚନା ଦେଇଥିଲେ । ହେଲେ ହାତୀ ସମ୍ପର୍କରେ ସୂଚନା ପାଇ କୌଣସି ବନ କର୍ମଚାରୀ (ଟେରିଟୋରିଆଲ୍) ଘଟଣା ସ୍ଥଳରେ ପହଞ୍ଚି ନଥିଲେ । ଏହି ହାତୀପଲ୍ଲରେ ୨୫ ଟି ହାତୀ ରହିଥିବା ବେଳେ କିଛି ଦନ୍ତା ହାତୀଙ୍କ ସହ ୨ଟି ଅସୁସ୍ଥ ହାତୀ ଓ ୫ଟି ଛୁଆ ହାତୀ ଥିବା ଜଣାପଡ଼ିଛି । ଅସୁସ୍ଥ ହାତୀ ଦୁଇଟି ସମ୍ପୂର୍ଣ୍ଣ ଦୁର୍ବଳ ଥିବା ଜଣାପଡ଼ିଛି । କିଛି ସମୟ ଧରି ହାତୀମାନେ ବିଭିନ୍ନ ପଣସ ଗଛ ଭଙ୍ଗାରୁଜା କରିବା ସହ ପଣସ ଖାଇଥିଲେ ।
ମାତ୍ର ବଡ଼କଥା ହେଉଛି ବନବିଭାଗ (ଟେରିଟୋରିଆଲ୍) ପକ୍ଷରୁ ହାତୀମାନେ ସୁରକ୍ଷିତ ଭାବରେ ଗମନାଗମନ କରିବା ପାଇଁ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଂଚଳରେ ହାତୀ ଚଲାପଥ ନିର୍ମାଣ କରାଯାଇଥିଲା । ତାର ବାଡ଼ ମାଧ୍ୟମରେ ସେମାନଙ୍କ ଚଲାପଥକୁ ସୁରକ୍ଷିତ କରାଯାଇଥିବା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ବହୁ ଭାବରେ ନଷ୍ଟ ହୋଇଛି । ଯେଉଁଥି ପାଇଁ ହାତୀମାନେ ଗାଁ ମଧ୍ୟକୁ ପଶି ଆସିବା ପାଇଁ ସୁଯୋଗ ପାଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।