ରାଜନୀତି

ଗୁଇନ୍ଦା ଚିଠି : ତନାଘନା ଆରମ୍ଭ

Published

on

ଭୁବନେଶ୍ୱର ୨୦/୩ : ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଗୁଇନ୍ଦା ବିଭାଗର ଏକ ଚିଠିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ଝଡ଼ ଥମିବାର ନାଁ ଧରୁନି। ଗତକାଲି ପୁଣି ଏହି ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କର୍ଣ୍ଣାଟକରେ ମଧ୍ୟ ଏମିତି ଚିଠି ଜାଲିଆତି କରାଯାଇଥିଲା ବୋଲି ଅଭିଯୋଗ କରିଛି ବିଜେଡି। ଉଭୟ ଦଳ ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିଜ ନିଜର ଦାବି ଜଣାଇଛନ୍ତି। ସେପଟେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଏହି ଚିଠିକୁ ନେଇ କମିସନରେଟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଏ ନେଇ ଖାରବେଳନଗର ଥାନାରେ କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ନ ଥିଲେ ହେଁ ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଜେପି ନେତାଙ୍କୁ ପଚରାଉଚରା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି , ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଯୁବ ମୋର୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏବଂ ବିଜେପିର ମିଡିଆ ସେଲ୍କୁ ଏହି ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ। ସେମାନେ ଥାନାରେ ହାଜର ହୋଇ ସେହି ଜାଲ କାଗଜପତ୍ର କେଉଁଠୁ ପାଇଲେ ସେ ସମ୍ପର୍କରେ ତଥ୍ୟ ଦେବେ। ଏଭଳି ଜାଲ କାଗଜପତ୍ର ଗଣମାଧ୍ୟମକୁ ଦେବାର ଉଦ୍ଦେଶ୍ୟ କ’ଣ ସେ ସମ୍ପର୍କରେ ପଚରାଉଚରା କରାଯିବ। ଏଭଳି ଜାଲ କାଗଜପତ୍ର କେଉଁଠି ପ୍ରସ୍ତୁତି ହୋଇଛି ସେ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।
ପୁଲିସ କମିସନର ଆହୁରି କହିଛନ୍ତି, ଯେଉଁ କାଗଜ ବିଜେପି ନେତାମାନେ ଗଣମାଧ୍ୟମକୁ ଦେଖାଇଥିଲେ ସେଥିରେ ଥିବା ଦସ୍ତଖତ ଜାଲ। ତାରିଖ ମଧ୍ୟ ନାହିଁ। ଯେଉଁ ଚିଠି ନମ୍ବର ପଡ଼ିଛି ଗୁଇନ୍ଦା ବିଭାଗ ସେଭଳି କୌଣସି ନମ୍ବର ପକାଇ ନ ଥାଏ। ତେଣୁ ସେହି କାଗଜକୁ ଜବତ କରାଯିବ ସହିତ, ଫୋରେନ୍ସିକ ଯାଞ୍ଚ ପାଇଁ ପଠାଯିବ। ଏଭଳି ଜାଲ କାଗଜପତ୍ର କେଉଁଠୁ ପ୍ରସ୍ତୁତ ହୋଇଛି ତାହା ଜଣାପଡ଼ିବା ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version