ଭୁବନେଶ୍ୱର ୪/୧ : ଏଣିକି ଶିକ୍ଷିତ ଗ୍ରାଜୁଏଟ କନଷ୍ଟେବଳ ଓ କ୍ରିମିନାଲ ଇଣ୍ଟେଲିଜେନ୍ସ ହାବିଳଦାରମାନଙ୍କୁ ତଦନ୍ତ ଅଧିକାର ମିଳିବ । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଫୋ÷ଜଦାରୀ ଦଣ୍ଡବିଧି ଆଇ ୧୯୭୩ର ଧାରା ୧୫୭ ଅନୁଯାୟୀ ଏଭଳି ଶିକ୍ଷିତ କନଷ୍ଟେବଳ ଓ ହାବିଳଦାରମାନଙ୍କୁ ତଦନ୍ତ କ୍ଷମତା ପ୍ରଦାନ ଲାଗି ପୋଲିସ ମହା ନିର୍ଦ୍ଦେଶକ ଆରପି ଶର୍ମା ୨୦୧୮ ଜାନୁଆରୀ ୨୭ ତାରିଖରେ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ଏବେ ସରକାର ଏହାକୁ ଗ୍ରହଣ କରି ଏଥିପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି । ଏହି କ୍ଷମତା ବଳରେ ଗ୍ରାଜୁଏଟ କନଷ୍ଟେବଳ ଓ କ୍ରମିନାଲ ଇଣ୍ଟେଲିଜେନ୍ସ ହାବିଳଦାରମାନେ ଘଟଣାସ୍ଥଳକୁ ଯାଇ ଅପରାଧ ସମ୍ପର୍କରେ ତଦନ୍ତ କରିବା ସହ ଆବଶ୍ୟକସ୍ଥଳେ ବିଭିନ୍ନ ସାମଗ୍ରୀ ଜବତ କରିପାରିବେ ଓ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିବେ । ଥାନାରେ ଶହ ଶହ ମାମଲା ପଡ଼ି ରହିଥିବାରୁ ସେଗୁଡ଼ିକର ଦ୍ରୁତ ତଦନ୍ତ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଦର୍ଶାଇ ଶ୍ରୀ ଶର୍ମା ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।