ଭୁବନେଶ୍ୱର ୧୪/୬ : ଗାଁ ଠୁ ସହର ଯାଏଁ ଧୂମଧାମରେ ପାଳନ ହେଉଛି ରଜ । କୁଆଁରୀ ଝିଅଠାରୁ ଆରମ୍ଭ କରି ମହିଳାମାନେ ବେଶ ଆନନ୍ଦ ମନରେ ରଜ ପାଳନ କରୁଛନ୍ତି । ଘରେ ଘରେ ସବୁ ଝିଅ ବୋହୁମାନେ ନୂଆ ପୋଷାକ, ଶାଢ଼ୀ ପିନ୍ଧି ଦୋଳି ଖେଳୁଛନ୍ତି । ଏହା ସହିତ ପୋଡ଼ ପିଠା ସହିତ ରଜ ପାନର ମଧ୍ୟ ମଜା ନେଉଛନ୍ତି ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଇଥାଏ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । କୁହାଯାଏ କି ଏହି ଦିନରେ ଧରତ୍ରୀମାତା ରଜସ୍ୱଳା ହୋଇଥାଏ । ସେଥିପାଇଁ ତିନି ଦିନ ପୃଥୀବୀ କିଛି କଷ୍ଟ ଦିଆଯାଏ ନାହିଁ । ସେଥିପାଇଁ ଭୂ ଖନନ କାର୍ୟ୍ୟ ମଧ୍ୟ କରାଯାଏ ନାହିଁ ।