ତାଳଚେର ୭/୧୨ : ତାଳଚେର ସହରରେ ଚଟାଣ ଧସିବା ସମସ୍ୟାକୁ ନେଇ ଏବେବି ଉତ୍ତେଜନା ଲାଗିରହିଛି । ଗତକାଲିଠାରୁ ସହରରେ ବିକ୍ଷୋଭ କରୁଥିବା ସ୍ଥାନୀୟ ଲୋକଙ୍କୁ ପୋଲିସ ଅଟକ ରଖିବା ପରେ ଆଜି ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି । ତେବେ ଏମ୍ସିଏଲ୍ ଖଣି ଅଞ୍ଚଳରେ ଲୋକଙ୍କ ବିକ୍ଷୋଭ ଯୋଗୁଁ କାମ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅଭିଯୋଗର ତଦନ୍ତ ପାଇଁ ଆଜି ଏକ ବିଶେଷଜ୍ଞ ଟିମ୍ ତାଳଚେରରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେମାନେ ଚଟାଣ ଧସିଥିବା ଘରକୁ ଯାଇ ପରୀକ୍ଷାନିରୀକ୍ଷା କରିଛନ୍ତି । ତେଣେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଆଜି କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ଏ ସମସ୍ୟା ସମ୍ପର୍କର୍ରେ ଆଲୋଚନା କରିବା ସହ ଏ କ୍ଷେତ୍ରରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।
ଅପରାହ୍ନରେ ସ୍ଥାନୀୟ ଲୋକଙ୍କ ପ୍ରତିନିଧି, ବିଶେଷଜ୍ଞ ଟିମ୍ ଓ ପ୍ରଶାସନିକ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଚଟାଣ ଧସିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେଣୁ ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶେଷଜ୍ଞ ଟିମ୍ ପ୍ରକାଶ କରିଛି । ତାଳଚେର ସହର ତଳୁ ଏମ୍ସିଏଲ୍ କୋଇଲା ଉତ୍ତୋଳନ କରିଥିଲେ ମଧ୍ୟ ଖଣିକୁ ବାଲିରେ ସଠିକ୍ ପୋତି ନଥିବାରୁ ଏ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।