ଭୁବନେଶ୍ଵର ୨୮/୪ : ଆସନ୍ତାକାଲି ଚତୁର୍ଥ ପର୍ୟ୍ୟାୟ ମତଦାନ। ଏଥିରେ ଓଡ଼ିଶାର ୬ ଲୋକସଭା ଓ ୪୧ ବିଧାନସଭାରେ ମତଦାନ ହେବ। ଏହି ପର୍ୟ୍ୟାୟ ସହିତ ରାଜ୍ୟରେ ନିର୍ବାଚନ ସଂପନ୍ନ ହେବ। ଏହି ପର୍ୟ୍ୟାୟରେ ମୋଟ୍ ୩୮୮ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଲୋକସଭା ପାଇଁ ୫୨ ପ୍ରାର୍ଥୀ ଏବଂ ବିଧାନସଭା ପାଇଁ ଅଛନ୍ତି ୩୩୬ ପ୍ରାର୍ଥୀ। ମୋଟ୍ ୯୫ ଲକ୍ଷ ୬୫୩ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ୩୦୯୨ ମତଦାନ କେନ୍ଦ୍ର ସମ୍ବେଦନଶୀଳ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏହି ପର୍ୟ୍ୟାୟରେ ବୈଜୟନ୍ତ ପଣ୍ଡା, ଅନୁଭବ ମହାନ୍ତି, ପ୍ରତାପ ଷଡ଼ଙ୍ଗୀ, ଅତନୁ ସବ୍ୟସାଚୀ, ମନମୋହନ ସାମଲ, ବିଭୂ ତରାଇ ସମେତ ଅନେକ ହେବିଓ୍ଵେଟ୍ ନେତା ମଇଦାନରେ ଅଛନ୍ତି।
ଚତୁର୍ଥ ପର୍ୟ୍ୟାୟ ମତଦାନରେ ୧୨ ମହିଳାଙ୍କ ସମେତ ମୋଟ୍ ୫୨ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୪୧ ବିଧାନସଭା ଆସନ ପାଇଁ ୩୩୬ ଜଣ ପ୍ରାର୍ଥୀ ମଧ୍ୟରୁ ୩୪ ଜଣ ମହିଳା ପ୍ରାର୍ଥୀ ଥିବା ବେଳେ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ମୋଟ୍ ୯୫ ଲକ୍ଷ ୬୫୩ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ଏଥିରୁ ମହିଳା ଭୋଟରଙ୍କ ସଂଖ୍ୟା ୪୫ ଲକ୍ଷ ୯୮ ହଜାର ୬୭୯ ରହିଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୪୫୫ ରହିଛି।
ଇସିଓଙ୍କ ମୁତାବକ ରାଜ୍ୟର ୯୦୭୦ଟି ସ୍ଥାନରେ ୧୦ ହଜାର ୭୯୨ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୩୦୯୨ ମତଦାନ କେନ୍ଦ୍ର ସମ୍ବେଦନଶୀଳ ଚିହ୍ନଟ ହୋଇଛି। ଏହି ପର୍ୟ୍ୟାାୟରେ ୭୨,୩୬୩ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି। ଏଥିରୁ ୧୦୫ଟି ବୁଥରେ ରହିବେ କେବଳ ମହିଳା ପୋଲିଂ କର୍ମଚାରୀ। ୧୧୨୬ଟି ମତଦାନ କେନ୍ଦ୍ରରେ ଓ୍ଵେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ୪ଟି ମତଦାନ କେନ୍ଦ୍ରକୁକ ପରିଚାଳନା କରିବେ ଦିବ୍ୟାଙ୍ଗ। ୫୫୪ଟି ମତଦାନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ରହିଛି। ୫୯୫ ବୁଥରେ ମାଇକ୍ରୋ ଅବଜରଭର। ୨୧ ହଜାର ୪୨୮ ଭଲ୍ୟୁଣ୍ଟିୟର କାମ କରିବେ।