ନୂଆଦିଲ୍ଲୀ ୧୪/୬ : ଟ୍ରେନରେ ଯାଉଥିବା ଜଣେ ଗର୍ଭବତୀ ଯାତ୍ରୀଙ୍କ ପାଇଁ କେହି ଡାକ୍ତର ଉପସ୍ଥିତ ନଥିବାରୁ ଜଣେ ଟିଟି ଡାକ୍ତର ହୋଇ ଡେଲିଭରି କରିଛନ୍ତି । ରେଲୱେର ଦିଲ୍ଲୀ ଡିଭିଜନ୍ ରେ ଟିଟି ଏଚଏସ୍ ରାଣାଙ୍କୁ ରାତିରେ ଯେତେବେଳେ ଜ୍ଞାତ ହେଲା ଯେ ଟ୍ରେନରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବପୀଡା ହେଉଛି ଏବଂ ତାଙ୍କୁ ଜଣେ ଡାକ୍ତରଙ୍କ ଆବଶ୍ୟକତା ଅଛି । ସେ ତୁରନ୍ତ ଟିକେଟ୍ ଲିଷ୍ଟରେ କେହି ଡାକ୍ତର ଥିବା ନେଇ ଖୋଜିଲେ କିନ୍ତୁ ସେଥିରେ ସେ ଅସଫଳ ହେବାରୁ ସେ ନିଜେ ଗର୍ଭବତୀଙ୍କ ପାଖରେ ପହଂଚିଥିଲେ । ଟିଟି ରାଣା ଏବଂ ଅନ୍ୟ ଯାତ୍ରୀଙ୍କ ସାହାଯ୍ୟରେ ମହିଳା ଜଣକ ଏକ ସୁସ୍ଥ ଛୁଆକୁ ଜନ୍ମ ଦେଇଥିଲେ ।
ଟିଟି ଏଚଏସ୍ ରାଣାଙ୍କ ଏହି ମହତ୍ କାମକୁ ରେଳ ମନ୍ତ୍ରାଳୟ ତରଫରୁ ପ୍ରଶଂସା କରାଯାଇଛି । ଟିଟି ରାଣାଙ୍କ ଏହି କାମକୁ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ପ୍ରଶଂସା କରାଯାଇଛି ।