ଲଗାଣ ବର୍ଷାରେ ଉଜୁଡ଼ିଗଲା ଚାଷ। ବର୍ଷ ସାରା କେମିତି ଚଳିବ ତାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ନିଜର ହକ ଜାହିର ପାଇଁ ଚାଷୀ କେଉଁଠି ରାଜରାସ୍ତାକୁ ଓହ୍ଲାଇଲାଣି ତ କେଉଁଠି ଚାଷୀମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରଶାସନକୁ ଘେରିଛନ୍ତି ରାଜନେତା କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକରେ ଚାଷୀମାନେ ରାଜରାସ୍ତା ଅବରୋଧ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରିଛି କଂଗ୍ରେସ ।
ଗତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ଧାନ ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଜମିରେ କରିଥିବା ସୁନାର ଫସଲ ଯେ ଆଖିଆଗରେ ଛାରଖାର ହୋଇଯିବ ତାକୁ ସହିପାରୁନି ଚାଷୀ। ଉଜୁଡ଼ା ଫସଲ ପାଇଁ କ୍ଷତିପୂରଣ ଦେବାକୁ ସରକାରଙ୍କର ଟାଳଟୂଳ ନୀତି ଚାଷୀର କଟା ଘା’ରେ ଚୂନ ଦେଇଛି।
ଏହାର ପ୍ରତିବାଦ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଚାଷୀମାନେ। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲାର ଚାଷୀମାନଙ୍କ କ୍ଷତିପୂରଣ ଦାବି କରି ରଣ ହୁଙ୍କାର ଦେଇଛି କଂଗ୍ରେସ। କେନ୍ଦ୍ରାପଡ଼ା ସହରରେ ବିଶାଳ ରାଲି କରି ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସର ହଜାର ହଜାର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହାରାଙ୍କ ନେତୃତ୍ୱରେ କରାଯାଇଥିବା ଏହି ବିକ୍ଷୋଭରେ ଦଳ ସରକାରଙ୍କ ବିରୋଧରେ ଆରୋପ ଲଦି ଦେଇଛି।ଚାଷୀମାନଙ୍କ ବିପଦ ବେଳେ ସରକାର ଉଚିତ ପଦକ୍ଷେପ ନନେବାରୁ ଜିଲ୍ଲାର ହଜାରହଜାର ଧାନ ଚାଷୀ ସର୍ବହରା ହୋଇ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ଅଭିଯୋଗ କରିଛି କଂଗ୍ରେସ।
ଲଗାଣ ବର୍ଷା ଓ ବନ୍ୟାରେ ନଷ୍ଟ ହୋଇଥିବା ଧାନ ଚାଷର ଉପଯୁକ୍ତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା, ତଳିତଳାନ୍ତ ହୋଇଥିବା ଚାଷୀମାନଙ୍କୁ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କରିବା, ଭାଗଚାଷ ଆଇନ ପ୍ରଣୟନ କରିବା ସହିତ ଭାଗ ଚାଷୀମାନଙ୍କୁ କ୍ଷତି ପୁରଣ ପ୍ରଦାନ କରିବା, ଗୋବରୀ କେନାଲର ପୁନରୁଦ୍ଧାର କରିବା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାରୀ ଶିତଳ ଭଣ୍ଡାର ନିର୍ମାଣ କରିବାକୁ ଦଳ ଦାବି କରିଛି।