ଭୁବନେଶ୍ୱର/ନୂଆଦିଲ୍ଲୀ ୮/୧ : ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ଆଜି ଦୃଢ଼ ସ୍ୱର ଉତ୍ତୋଳନ କରିଛନ୍ତି । ବିଜେଡ଼ି ଦିଲ୍ଲୀରେ ଏକ ବିରାଟ ସମାବେଶ କରି କେନ୍ଦ୍ର ସରକାରଙ୍କଠାରୁ ଚାଷୀଙ୍କ ହକ୍ ଦାବି କରିଥିବାବେଳେ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି କୃଷକଙ୍କ ସ୍ୱାର୍ଥ ରକ୍ଷା ଲାଗି କେନ୍ଦ୍ରର ଦୃଷ୍ଟି ଆକର୍ଷଣ ପାଇଁ ଅନୁରୋଧ କରିଛି । ବିଜେପି ମଧ୍ୟ ଆଜି ସଚିବାଳୟ ଘେରାଉ ଉଦ୍ୟମ କରି ରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ।
କୃଷକଙ୍କ ସମସ୍ୟା ପ୍ରତି କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ ଏବଂ ସେମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ ଦାବିରେ ଆଜି ବିଜେଡ଼ି ପକ୍ଷରୁ ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ କୃଷକ ଅଧିକାର ସମାବେଶ କରାଯାଇଛି । ଏଥିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଆର୍ଥିକ ସ୍ୱାଧୀନତା ପ୍ରଦାନ ଦାବି ଦୋହରାଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ଏହି ଅଧିକାର ପ୍ରଦାନ କଲେ ରାଜ୍ୟଗୁଡ଼ିକ କୃଷକମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେଇପାରିବେ । ସେ ଏହି ଅବସରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି କରିଛନ୍ତି । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୃଷକମାନଙ୍କ ସହାୟତା ପାଇଁ ବିଜେପି ୨୦୧୪ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ସମ୍ପୂର୍ଣ୍ଣ ଭୁଲି ଯାଇଛି । ଗୃହ କମିଟି କେନ୍ଦ୍ର ସରକାରଙ୍କୁ ଭେଟିବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ ହେଁ, କେନ୍ଦ୍ର ସେ ସୁଯୋଗ ଦେଇନଥିଲା । ଫଳରେ ସେମାନେ ଆଜି ଦିଲ୍ଲୀ ଆସିବା ପାଇଁ ବାଧ୍ୟ ହୋଇଛନ୍ତି । ଚାଷୀ କୂଳ ହେଉଛି ଭାରତୀୟ ଅର୍ଥନୀତିର ଆତ୍ମା । କିନ୍ତୁ କେନ୍ଦ୍ର ସରକାର କ୍ରମାଗତଭାବେ ଚାଷୀଙ୍କୁ ପ୍ରତାରଣା କରିଚାଲିଛନ୍ତି । ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଚାଷୀଙ୍କ ହକ ପାଇଁ ବିଜେଡ଼ି ତା’ର ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଏହି ସମାବେଶରେ ବିଜେଡ଼ିର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଛନ୍ତି । ବିଜେଡ଼ି ପକ୍ଷରୁ କୃଷକଙ୍କ ସ୍ୱାର୍ଥରକ୍ଷା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦିଆଯାଉଛି ।
ତେଣେ କଂଗ୍ରେସ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୭୫୦ଟଙ୍କା ବୋନସ ଦେବା ଲାଗି ଦାବି କରିଛି । କୃଷି ଋଣ ଛାଡ଼ କରିବା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି । କଂଗ୍ରେସ କୃଷକମୋର୍ଚ୍ଚାର ନେତାମାନେ ରାଜ୍ୟପାଳଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀପତ୍ର ପ୍ରଦାନ କରିଛନ୍ତି ।
ବିଜେପି ମଧ୍ୟ ଚାଷୀଙ୍କ ସ୍ୱାର୍ଥ ରକ୍ଷାର ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଛି । ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥ ରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ବିଜେପି ଆଜି ସଚିବାଳୟ ଘେରାଉ ପାଇଁ ଉଦ୍ୟମ କରିଛି । ତେବେ ପୋଲିସ ସେମାନଙ୍କୁ ଅଟକାଇ ଦେବାରୁ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା । ବିଜେପି ଅଭିଯୋଗ କରିଛି ଯେ, ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀମାନେ ନିଜ ଫସଲର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି । ଗତବର୍ଷ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକା କେତେ ତାହା ଏହି ଘଟଣାରୁ ଜଣାପଡ଼ୁଛି ବୋଲି ବିଜେପି କହିଛି । କେବଳ ଏତିକି ନୁହେଁ ଗତ ନଭେମ୍ବର ୫ ତାରିଖ ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ ମଣ୍ଡି ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ତାହା ଏପର୍ଯ୍ୟନ୍ତ କାହିଁକି ଖୋଲିନାହିଁ ବୋଲି ବିଜେପି ପ୍ରଶ୍ନ କରିଛି ।