ଭୁବନେଶ୍ୱର ୨୧/୧୨ : ସମ୍ପ୍ରତି ଚାଷୀମାନେ ସମ୍ମୁଖୀନ ହୋଇଥିବା ସମସ୍ୟା ପାଇଁ କଂଗ୍ରେସ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଦାୟୀ କରିଛି । କଂଗ୍ରେସ କହିଛି ଯେ, ଦଳ କ୍ଷମତାକୁ ଆସିଲେ ଅବିଳମ୍ବେ କୃଷି ଋଣ ଝାଡ କରିବ । କେବେଳ ସେତିକି ନୁହେଁ ଚାଷୀମାନଙ୍କ ସ୍ଥିତିରେ ଉନ୍ନତି ପାଇଁ ୫ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରୁନାହାନ୍ତି । ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଆଦୋ÷ ଦୃଷ୍ଟି ଦେଉନାହାନ୍ତି । ରାଜ୍ୟ ସରକାର ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୯୩୦ଟଙ୍କା କରିବା ପାଇଁ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ । ତାହା ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ ହୋଇନି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ବେକାରୀ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଥର ଘୋଷଣା କରିଛନ୍ତି । ତେବେ ଉଭୟେ ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଅପରପକ୍ଷରେ କଂଗ୍ରେସର ଏଭଳି ଆଭିମୁଖ୍ୟକୁ ସମାଲୋଚନା କରି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଚାଷୀଙ୍କ ସହାୟତା ପାଇଁ ସରକାର କ୍ରମାଗତ ପ୍ରୟାସ ଜାରି ରଖିଛନ୍ତି । ଚାଷୀଙ୍କୁ ବୋନସ ପ୍ରଦାନ ନେଇ କେନ୍ଦ୍ର ସରକାର ଲକ୍ଷ୍ମଣରେଖା ଟାଣି ଥିବାରୁ ରାଜ୍ୟ ସରକାର ଆଗେଇ ପାରୁନାହାନ୍ତି ।