ଭୁବନେଶ୍ୱର ୨୮/୪ : ଘୂର୍ଣ୍ଣିବାତ୍ୟା ଫନି ଏବେ ଚେନ୍ନାଇ ଠାରୁ ୧୦୫୦ କିମି ଦୂରରେ ରହିଛି । ତେଣୁ ଏଥିପାଇଁ ସତର୍କ ରହିବାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁସାରେ,ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ । ଏହା ପ୍ରଭାବରେ ଆସନ୍ତା ୨ରେ ଦକ୍ଷିଶ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି । ଏବଂ ଆସନ୍ତା ୦୩ରୁ ଉପକୂଳ ଓଡ଼ିଶାରେ ବର୍ଷା ବଢିପାରେ ବୋଲି କୁହାଯାଇଛି । ଫନି ଚେନ୍ନାଇ ଠାରୁ ୧୦୫୦ କିମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ମଚ୍ଛଲିପଟନମ ଠାରୁ ୧୨୩୦ କିମିରେ ରହିଛି । ଏହା ମେ ୦୧ ସୁଦ୍ଧା ଉତ୍ତର -ପଶ୍ଚିମ, ପରେ ଉତ୍ତର-ପୂର୍ବ ମୁହାଁଇବ । ଏହି ସମୟରେ ପ୍ରବଳ ବର୍ଷା ଓ ପବନର ହେବାର ଅନୁମାନ କରିଛି ପାଣିପାଗ ବିଭାଗ । ଫନିର ପ୍ରଭାବରେ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ପୁଡୁଚେରୀର କମୋରିନ୍ ଓ ମନ୍ନାର ଏବଂ କେରଳ ଉପକୂଳରେ ପବନର ବେଗ ଅଧିକ ରହିବ । ଓଡ଼ିଶାରେ ଏହାର ପ୍ରଭାବ ଏତେ ପଡ଼ିବ ନାହିଁ କିନ୍ତୁ କାଲି ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଏସଆରସି ପକ୍ଷରୁ ନିର୍ଦ୍ଦେଶ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୫୦ କିମି ରହିବାର ଆକଳନ କରାଯାଇଛି । ତେଣୁ ଆସନ୍ତା ମେ’ ପହିଲା ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରକୁ ଭିତରକୁ ଯାଇଛନ୍ତି ସେମାନଙ୍କୁ ଆଜି ସୁଦ୍ଧା କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।