କଟକ ବନଖଣ୍ଡ ଅଧିନ ଡାଳିଯୋଡା ରେଞ୍ଜର କହ୍ନେଇପୁର ପଞ୍ଚାୟତ •ରିଘରିଆରେ ଥିବା ଏକ ଘରୋଇ ଫାର୍ମ ମାଲିକଙ୍କ ବେପରବାୟ କାର୍ଯ୍ୟଯୋଗୁ ଗୋଟିଏ ଦନ୍ତାହାତୀର ମୃତ୍ୟୁ ଘଟିଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ଥିବା ଏକ ଘରୋଇ ଫାର୍ମ ହାଉସ ପକ୍ଷରୁ ବୁଲାଯାଇଥିବା ଲୁହା ତାରଜାଲିରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଯାହାର ସଂସ୍ପର୍ଷରେ ଆସି ଶନିବାର ବିଳମ୍ବିତ ରାତ୍ରିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି ।
ହାତୀଟି ରାତିରେ ଫାର୍ମ ହାଉସ ମଧ୍ୟକୁ ପ୍ରବେଶ କରିବାପାଇଁ ଉଦ୍ୟମ କଲାବେଳେ ବିଦ୍ୟୁତ କରେଣ୍ଟ୍ ପ୍ରବାହିତ ତାର ଜାଲିର ସସ୍ପର୍ଷରେ ଆସିଥିଲା । ଫଳରେ ଘଟଣା ସ୍ଥଲରେ ଦନ୍ତାର ମୃତ୍ୟୁ ହୋଇଯାଇଥିଲା । ଦନ୍ତାର ଶୁଣ୍ଢ ଓ ବେକ ନିକଟରେ ପୋଡା ଦାଗରୁ ଏହା ସ୍ପଷ୍ଟ ଜଣାପଡୁଥିଲା । ଖବର ପାଇ କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପରିଡା, ଡାଳିଯୋଡା ରେଞ୍ଜର ମନୋରଞ୍ଜନ ସ୍ୱାଇଁ, ସଫା ଫରେଷ୍ଟର ରଞ୍ଜନ ମିଶ୍ର ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ କରିଥିଲେ । ପରେ ଟାଙ୍ଗୀ ବ୍ଲକ ପଶୁ ଚିକିତ୍ସକ ଭକ୍ତହରି ମଲ୍ଲିକ୍ ସେଠାରେ ପହଞ୍ଚି ହାତୀଟିର ଶବବ୍ୟବଚ୍ଛେଦ କରିଥିଲେ ଏବଂ ହାତୀର ହୃତପିଣ୍ଡ କଳିଜାକୁ ସଂଗ୍ରହ କରି ପରୀକ୍ଷା ପାଇଁ ଲବ୍ରାଟୋରୀକୁ ପଠାଇଛନ୍ତି । ମୃତ ଦନ୍ତାର ବୟସ ଆନୁମାନିକ ୧୦ବର୍ଷ ହେବ ବୋଲି ଜଣାପଡିଛି । ଦନ୍ତାଟି ଗତ କିଛି ମାସ ହେଲା ଏହି ଅଞ୍ଚଳରେ ଚଳପ୍ରଚଳ କରୁଥିଲା । ତେଣୁ ଦନ୍ତାକୁ ଫାର୍ମ ମଧ୍ୟକୁ ପଶିବାକୁ ନଦେବାପାଇଁ ତାର ବାଡରେ ବିଦ୍ୟୁତ୍ ସଂଯୋଗ କରାଯାଇଥିବାର ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ବନ ବିଭାଗ ପକ୍ଷରୁ ଫାର୍ମର ଜଣେ କର୍ମ•ରୀଙ୍କୁ ନିଜ ହେପାଜତକୁ ନିଆଯାଇଥିବାବେଳେ ଫାର୍ମର ମାଲିକଙ୍କ ପ୍ରତି କୋହଳ ମନଭାବ ପୋଷଣ କରିବାକୁ ନେଇ ସାଧାରଣରେ ଅଧିକାରୀଙ୍କ ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି ।