ଭୋପାଳ:ବହୁ ବିଳମ୍ବରେ ହେଲେବି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚଳିତ ସପ୍ତାହରେ ତାଙ୍କର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ହେଲେ ତାଙ୍କର ଏହି ୩୪ ସଦସ୍ୟ ବିଶିଷ୍ଟ ବିରାଟକାୟ ମନ୍ତ୍ରିମଣ୍ଡଳକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହେବା ସହ ସାମ୍ବିଧାନିକ ବ୍ୟବସ୍ଥାର ଉଲଂଘନ କଥା ବି ଉଠିଲାଣି।
ମଧ୍ୟପ୍ରଦେଶ ବିଧାନସଭାର ମୋଟ ବିଧଅୟକ ସଂଖ୍ୟା ୨୦୬ ଏବଂ ମନ୍ତ୍ରିମଣ୍ଡଳର ଆକାର ମୁଖ୍ୟମନ୍ତ୍ରୀଙ୍କ ସମେତ ଏହାର ୧୫%ରୁ ଅଧିକ ହୋଇ ପାରିବ ନାହିଁ। ଏହି ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳର ଆକାର ୩୧ରୁ ଅଧିକ ହୋଇ ପାରିବ ନାହିଁ।
ସମ୍ବିଧାନର Article 164(1A) ଅନୁଯାୟୀ “The total number of ministers, in the Council of Ministers in a State shall not exceed 15% of the total numbers of members of the legislative assembly of that State.”
ମନ୍ତ୍ରିମଣ୍ଡଳର ଅକାରକୁ ନେଇ ମୁଖ୍ୟ ବିପକ୍ଷ ଦଳ ଆପତ୍ତି ଉଠାଇଛି । ଦଳର ମୁଖପାତ୍ର ଅଜୟ ସିଂହ ଯାଦବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରେ ଅଭିଯୋଗ କରିଛନ୍ତି।
ମଧ୍ୟପ୍ରଦେଶର ମୋଟ ଆସନ ସଂଖ୍ୟା ୨୨୮ ଥିବାବେଳେ ବର୍ତ୍ତମାନ ବିଧାୟକଙ୍କ ସଂଖ୍ୟା ୨୦୬ ରହିଛି। ଗତ ମାର୍ଚ୍ଚ ମାସରେ କଂଗ୍ରେସର ଅସନ୍ତୁଷ୍ଟ ନେତା ମାଧବରାଓ ସିନ୍ଧିଆ ଦଳର ୧୯ ଜଣ ବିଧାୟକଙ୍କୁ ନେଇ ବିଜେପିରେ ମିଶିଗଲେ । ଏହି ୧୯ ଜଣଙ୍କ ସମେତ ୨୨ ଜଣ ବିିଧାୟକ ତାଙ୍କର ବିଧାୟକ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।
ମାର୍ଚ୍ଚ ୨୦୨୦ ରେ ଶିବରାଜ ସିଂହ ଚୌହାନ କଂଗ୍ରେସର କମଳ ନାଥ ସରକାରକୁ ଗାଦିଚ୍ୟୁତ କରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ବହୁଦିନ ଧରି ସେ ଏକାକୀ ଶାସନ ଚଳାଇଥିଲେ। ହେଲେ ଏକାକୀ କ୍ୟାବିନେଟ ବୈଠକ କିଭଳି ହେବ ବୋଲି ପ୍ରଶ୍ନ କରିବାରୁ କୋଭିଡ ମହାମରୀର ପ୍ରକୋପ ମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରି ପାଞ୍ଚ ଜଣଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ତେବେ ଦଳ ଭିତରୁ ଏବଂ ସିନ୍ଧିଆଙ୍କ ପକ୍ଷରୁ ଚାପ ବଢିବାରୁ ତାଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ପଡ଼ିଲା ।
ତେବେ ମନ୍ତ୍ରମଣ୍ଡଳ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ଚୌହାନ ଆଦୌ ସୁଖୀ ନାହାନ୍ତି। ମନ୍ତ୍ରିମଣ୍ଡଳରେ ସିନ୍ଧିଆଙ୍କ ୧୧ ଜଣ ସାମିଲ ହୋଇଥିବା ବେଳେ ବିଜେପିର କେନ୍ଦ୍ରିୟ ନେତୃତ୍ବ ୧୮ ଜଣଙ୍କୁ ସାମିଲ କରାଇଛି। ଚୌହାନଙ୍କ କ୍ୟାମ୍ପର ଅନେକ ଯୋଗ୍ୟ ଏବଂ ତୁଙ୍ଗ ନେତା ଯେଉଁମାନେ ଗତ ଥର ତାଙ୍କ ସରକାରରେ ମନ୍ତ୍ରୀ ଥିଲେ ସେମାନେ ମଧ୍ୟ ଏହି ସମ୍ପ୍ରସାରଣରେ ସ୍ଥାନ ପାଇନାହାନ୍ତି।
ଜୁମ୍ବୋ କ୍ୟାବିନେଟ ପାଇଁ ସମାଲୋଚନାର ଶିକାର ହେଉଛନ୍ତି ଚୌହାନ ହେଲା ସମ୍ପ୍ରସାରଣରେ ତାଙ୍କର କିଛି ଲାଭ ହେଲାନି।