ଝାଡ଼ଖଣ୍ଡ ୧୨/୬ : ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଶିକ୍ଷକଙ୍କୁ ଲୋକେ ମାଗଦର୍ଶକ ବୋଲି କହୁଥିବା ବେଳେ ଜଣେ ଟ୍ୟୁସନ ଶିକ୍ଷକ ନିଜ ନାବାଳିକା ଛାତ୍ରୀ ସହ ଏଭଳି ଅମାନବୀୟ କାମ କରିବା ଘଟଣା ସମସ୍ତଙ୍କୁ ଏଥିନେଇ ଭାବିବାକୁ ବାଧ୍ୟ କରିଛି । ପୀଡ଼ିତା ପଢ଼ିବା ପାଇଁ ଅଭିଯୁକ୍ତଙ୍କ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଯାହା ପରେ ଲୋକଲଜ୍ଜାକୁ ଡ଼ରି ପୀଡ଼ିତା ଆତ୍ମହତ୍ୟା କରିଥିଲେ । ଘଟଣାଟି ଝାଡ଼ଖଣ୍ଡର ଗଢ଼ଓ୍ଵା ଜିଲ୍ଲାର ବୋଲି ଜଣା ପଡ଼ିଛି । ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଅଭିଯୁକ୍ତ ଏବଂ ତାଙ୍କ ଭାଇ ବିରୋଧରେ ମାମଲା ରୁଜୁ କରିଛି ।
ସୂଚନା ମୁତାବକ, ପୀଡ଼ିତା ଦିନ ୧୨ଟା ସମୟରେ ପଢ଼ିବାକୁ ଯାଇଥିବା ପରେ ତାଙ୍କ ଭାଇ ସେଠାକୁ ଦିନ ୨ଟାରେ ପଢ଼ିବାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ପୀଡ଼ିତାଙ୍କ ଭାଇ ନିଜ ଭଉଣୀଙ୍କୁ ଟ୍ୟୁସନ୍ ଶିକ୍ଷକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ତୁରନ୍ତ ସେଠାରୁ ଆସି ତାଙ୍କ ଭାଇ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ଦେଖି ପୀଡ଼ିତା ସେଠାରୁ ଚାଲି ଆସି ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।