Top News

ଜଗନ୍ନାଥ, ଲିଙ୍ଗରାଜ ମନ୍ଦିର ପରେ ଏବେ ସମଲେଶ୍ବରୀ ମନ୍ଦିରର ବିକାଶ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ

Published

on

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମା ସମଲେଶ୍ବରୀଙ୍କ ପୀଠ ଅନ୍ୟତମ ଅଟେ । ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ବରୀ ପୀଠର ଘନିଷ୍ଟ ସଂପର୍କ ରହିଛି ।

ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମା’ ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି ।

ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ।

ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏଥିରେ ମନ୍ଦିର ର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି।

ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ପୂର୍ତ୍ତ ସଚିବ ଓ ସମ୍ବଲପୁରର ଜିଲ୍ଲାପାଳ ଏ ଯୋଜନା ସଂପର୍କରେ ଉପସ୍ଥାପନା ଦେଇଥିଲେ। ଉତ୍ତରାଞ୍ଚଳ ଆର୍‌.ଡି.ସି, ଡି.ଆଇ.ଜି ଏବଂ ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version