ୱାସିଂଟନ୍ ୧/୧୨ : ବିଶ୍ୱର ଅନ୍ୟତମ ପ୍ରମୁଖ ରାଜନେତା ତଥା ଆମେରିକାର ପ୍ରଭାବଶାଳୀ ରାଷ୍ଟ୍ରପତି ଜର୍ଜ ଏଚ୍ଡବ୍ଲ୍ୟୁ ବୁଶ୍ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ ଥିଲେ ଆମେରିକାର ୪୧ତମ ରାଷ୍ଟ୍ରପତି । ସେ ୧୯୮୮ ମସିହା ନଭେମ୍ବର ୮ ତାରିଖରେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ପରବର୍ଷ ଜାନୁୟାରୀ ୨୦ ତାରିଖରେ ରାଷ୍ଟ୍ର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୯୩ ଜାନୁୟାରୀ ୨୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଇରାକର ତକ୍ରାଳୀନ ରାଷ୍ଟ୍ରପତି ସଦାମ ହୁସେନ୍ଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ । ତାଙ୍କରି ଶାସନକାଳରେ ମଧ୍ୟ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ସୋଭିଏତ୍ ୟୁନିୟନ୍ର ପତନ ଘଟିଥିଲା । ତାଙ୍କ ପୁଅ ଜର୍ଜ ଡବ୍ଲ୍ୟୁ ବୁଶ୍ ମଧ୍ୟ ଦୁଇଥର ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ ।