ଭୁବନେଶ୍ୱର ୩/୩ : ମହାଶିବରାତ୍ରି ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ୟ୍ୟାୟରେ ସୁଯୋଗ ରହିଛି। ପ୍ରଥମ ପର୍ୟ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର୍ୟ୍ୟାୟରେ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଓ ଶେଷ ଦଫାରେ ରାତି ୧୦ଟାରୁ ୧୧ଟା ପର୍ୟ୍ୟନ୍ତ ସାହାଣ ମେଲା ନୀତି ନିର୍ଘଣ୍ଟ ହୋଇଛି। ସକାଳ ସାହାଣ ମେଲା ପରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ହେବ।
୨ଟାରେ ଶ୍ରୀଭୁବନେଶ୍ବରଙ୍କ ସକାଳ ଧୂପ ହେବାକୁ ଥିବା ବେଳେ ୨ଟା ୪୫ରୁ ୩ଟା ୪୫ ଭିତରେ ଭୋଗ ମଣ୍ଡପ ହେବ। ସନ୍ଧ୍ୟା ୭ଟାରୁ ୭ଟା ୧୦ ମିନିଟ ପର୍ୟ୍ୟନ୍ତ ପହୁଡ଼ ହେବାକୁ ଥିବା ବେଳେ ୭ଟା ୩୦ରେ ଟେରା ଫିଟା ନୀତି ରହିଛି। ଶ୍ରୀଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ ରାତି ୮ଟା ୫୫ରୁ ୧୦ଟା ଭିତରେ ହେବାକୁ ଥିବା ବେଳେ ୧୦ଟା ରାତିରେ ମହାଦୀପ ଉଠିବା କାର୍ୟ୍ୟକ୍ରମ ରହିଛି। ରାତି ୧୧ଟା ୩୦ରୁ ୩ଟା ୩୦ ପର୍ୟ୍ୟନ୍ତ ଚାରି ପହର ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ (ମଙ୍ଗଳବାର)ଭୋର୍ ୩ଟା ୩୦ରୁ ସାଢ଼େ ୪ଟା ଭିତରେ ହରିହର ଭେଟ ନୀତି ରହିଛି। ୪ଟା ୩୦ରେ ବଡ଼ସିଂହାର ବେଶ ହେବା ସହ ୫ଟା ୧୫ ମିନିଟରେ ଶ୍ରୀଜିଉଙ୍କ ପହୁଡ଼ ନୀତି ରହିଛି।