ରାଜ୍ୟ

ଜିଲ୍ଲାପାଳ ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ୱ ନିଅନ୍ତୁ -ଅସିତ ତ୍ରିପାଠୀ

Published

on

ଝାରସୁଗୁଡ଼ା: ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ୱ ନେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଝାରସୁଗୁଡ଼ା , ସମ୍ବଲପୁର , ସୁନ୍ଦରଗଡ଼ , ବରଗଡ଼ ଓ ଦେବଗଡ଼ ଜିଲ୍ଲାର ଶିଳ୍ପାନୁଷ୍ଠାନ ଗୁଡ଼ିକର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ସମୀକ୍ଷା କଲାବେଳେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସିଙ୍ଗଲ ଉଇଣ୍ଡୋ ମେକାନିଜିମ ମାଧ୍ୟମରେ ମଞ୍ଜୁରୀପ୍ରାପ୍ତ ଶିଳ୍ପାନୁଷ୍ଠାନଗୁଡିକ ନୀତି ନିୟମ ଅନୁପାଳନ ପୂର୍ବକ କିପରି କାର୍ଯ୍ୟକାରୀ କରୁଛନ୍ତି ମୁଖ୍ୟ ପରାମର୍ଶଦାତା ଏହାର ସମୀକ୍ଷା କରିଥିଲେ।

ବୈଠକରେ ଉପସ୍ଥିତ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ଶିଳ୍ପାନୁଷ୍ଠାନର ଜମି , ବିଜୁଳି ଓ କଞ୍ଚାମାଲ ଯୋଗାଣ , ଆପ୍ରଚ ରୋଡ଼ ଆଇନ ଶୃଙ୍ଖଳା ଆଦିର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । କ୍ଷେତ୍ର ପରିଦର୍ଶନରେ ଆସିବା ଓ ଆଲୋଚନା ପୂର୍ବକ ଶିଳ୍ପାନୁଷ୍ଠାନଗୁଡିକ ର ସମସ୍ୟାର ଅନୁଧ୍ୟାନ କରିବା ଗସ୍ତର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଶିଳ୍ପାୟନ ସହ ଶିଳ୍ପାନୁଷ୍ଠାନଗୁଡିକର ସମସ୍ୟା ଅନୁଧ୍ୟାନ କରିବା ଓ ସମାଧାନ ଦିଗରେ ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ପଟେଲ , ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ , ସୁନ୍ଦରଗଡ଼ ଜିଲ୍ଲା ପାଳ ନିଖିଲ ପବନ କଲ୍ୟାଣ , ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା , ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ , ଝାରସୁଗୁଡ଼ା ଡି ଏଫ ଓ ଲଳିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କର ସମୀକ୍ଷା ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ଜିଲ୍ଲାମାନଙ୍କରେ ପରିଷଦ ପକ୍ଷରୁ ଆବଣ୍ଟିତ ଅର୍ଥର ବିନିଯୋଗ ସମ୍ପର୍କରେ ସମୀକ୍ଷା କରିବା ସହ ଯେଉଁ ଯେଉଁ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ତାହାର ତର୍ଜମା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରିଷଦର ବଜେଟ ଦ୍ଵିଗୁଣ କରାଯାଇଥିବା ଓ ପରିଷଦ ଅନ୍ତର୍ଭୁକ୍ତ ଜିଲ୍ଲାମାନଙ୍କରେ କାର୍ଯ୍ୟାଳୟ ଖୋଲାଯିବ ବୋଲି ସେ ସୂଚାଇଥିଲେ । ବିଭିନ୍ନ ଅଂଚଳରେ କୃଷିରେ ଯେଉଁ ଯେଉଁ କ୍ଷେତ୍ରରେ ଲୋକମାନଙ୍କର ଆଗ୍ରହ ସେ ସବୁ ଅଂଚଳରେ ଭିତ୍ତିଭୂମି ବିକାଶ କରାଯିବ ବୋଲି ସେ ଆଲୋଚନା କରିଥିଲେ ।ଜଳ ସେଚନ , ରାସ୍ତା ସଂଯୋଗୀକରଣ ଓ ବିଦ୍ୟାଳୟ ମାନଙ୍କରେ ଆନୁସଙ୍ଗିକ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସୂଚାଇଥିଲେ ।ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version