ଭୁବନେଶ୍ୱର ୮/୧ : ଅଭିନେତ୍ରୀ ନିକିତାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ସ୍ୱାମୀ ଲିପନଙ୍କ ଜାନିମ ଆଜି ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ତାଙ୍କୁ ଗତକାଲି ଗିରଫ କରି ପଚରାଉଚରା କରୁଥିଲା । ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ଦାୟୀ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଛାତ ଉପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ଏବଂ ଏହି ଠେଲାପେଲା ମଧ୍ୟରେ ନିକିତା ଛାତ ତଳକୁ ଗଳି ପଡ଼ିଥିଲେ । ଏ ସଂକ୍ରାନ୍ତରେ ଲିପନଙ୍କ ବିରୁଦ୍ଧରେ ପୋଲିସ ନିକଟରେ ପ୍ରମାଣ ରହିଛି । ଘରୋଇ ହିଂସା ନିକିତାଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଦର୍ଶାଇ ଶ୍ରୀ ସିଂ କହିଛନ୍ତି ଯେ, ଲିପନଙ୍କ ବାପା-ମା’ଙ୍କ ନାମରେ ମାମଲା ରୁଜୁ କରାଯାଇ ପଚରାଉଚରା କରାଯାଉଛି । ସୂଚନାଯୋଗ୍ୟ ନିକିତାଙ୍କୁ ତାଙ୍କ ସ୍ୱାମୀ ଲିପନ ଛାତରୁ ଠେଲି ଦେଇଛନ୍ତି ବୋଲି ନିକିତାଙ୍କ ପିତା ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ ।