Business

ଟାଟା କଫି ବିଶ୍ୱରେ ବିକିବ ଓଡ଼ିଶାର କୋରାପୁଟ କଫି

Published

on

ଭୁବନେଶ୍ୱର: ଟାଟା କଫି ବର୍ତ୍ତମାନ ଓଡ଼ିଶାର କୋରାପୁଟ କଫିକୁ ବିଶ୍ଵ ବଜାରରେ ବିକ୍ରୀ କରିବ। ଏଥି ପାଇଁ ଟାଟା କଫି ଓ ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ମଧ୍ୟରେ ଏକ ସହମତି ହୋଇଛି।

ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା କଫିକୁ ସମବାୟ ନିଗମ ଆଦିବାସୀ କଫି ଚାଷୀଙ୍କ ଠାରୁ କିଣି ଟାଟା କଫିକୁ ବିକ୍ରି କରିବ। ଏବଂ ଟାଟା କଫି ଏହାକୁ ଦେଶ ବିଦେଶରେ ବିକ୍ରି କରିବ।

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ।”

“କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ‘ଲକ୍ଷ୍ମୀପୁର’, ‘କାଶିପୁର’, ‘ଦସମନ୍ତପୁର’, ‘ନନ୍ଦପୁର’, ‘ଲମଟାପୁଟ’, ‘କୋରାପୁଟ’ ଓ ‘ପଟ୍ଟାଙ୍ଗି’ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି। ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version