ରାଜ୍ୟ

ଟ୍ରେନ୍ ଲାଇନରେ ପଡ଼ି ଛଟପଟ ହେଉଥିବା ଯୁବକଙ୍କୁ ୩ କିଲୋମିଟର କାନ୍ଧରେ ବୋହିଲେ ହାବିଲଦାର

Published

on

ଭୁବନେଶ୍ୱର ୧୬/୫ : ଟ୍ରେନ୍ ଲାଇନରେ ପଡ଼ି ଛଟପଟ ହେଉଥିବା ଯୁବକଙ୍କୁ ୩ କିଲୋମିଟର କାନ୍ଧରେ ବୋହିଲେ ହାବିଲଦାର । ଟ୍ରେନ୍ ଲାଇନ କଡ଼ରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ଜଣେ ରେଳଯାତ୍ରୀଙ୍କୁ ଉଦ୍ଧାର କରି ସେ କମିସନରେଟ ପୁଲିସର ହିରୋ ପାଲଟି ଯାଇଛନ୍ତି। ତାଙ୍କରି ଉଦ୍ୟମରୁ ଜଣେ ଯୁବକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତି ଯାଇଛନ୍ତି। ରେଳଯାତ୍ରୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସାମୁଦ୍ରିକ ଝଡ଼ ଫୋନି ରାଜଧାନୀର ପୁଲିସ କଂଟ୍ରୋଲ ରୁମକୁ ଏତେଟା କ୍ଷତ ବିକ୍ଷତ କରି ନ ଥିଲେ ମଧ୍ୟ ଏବେ ଫୋନ୍ ବିଭିନ୍ନ ସମୟରେ ଲାଗୁ ନାହିଁ। ଏତିକିବେଳେ ମଙ୍ଗବାର ଦିନ ରାତି ପ୍ରାୟ ୪ଟା ବେଳେ ଡିସିପିଙ୍କ କାର‌୍ୟ୍ୟାଳୟରେ ଥିବା ମଡର୍ଣ୍ଣ କଂଟ୍ରୋଲ ରୁମ୍ ଫୋନରେ ଏକ ସୂଚନା ଆସିଥିଲା।
ଜଣେ ଯୁବକ ହିନ୍ଦୀରେ କହୁଥିଲେ କି, ତାଙ୍କ ନାଁ ଉମେଶ କୁମାର। ଘର ବିହାରର ପାଟଣାରେ। ସେ ଏର୍ଣ୍ଣାକୁଲମ-ପାଟଣା ଏକ୍ସପ୍ରେସ ଯୋଗେ ଘରକୁ ଫେରୁଥିଲେ। ବାଣୀବିହାର ଷ୍ଟେସନ୍ ପରେ ପରେ ସେ ଟ୍ରେନରୁ ତଳକୁ ଖସି ପଡ଼ିଛନ୍ତି। ତେବେ ସେ କେଉଁ ସ୍ଥାନରେ ପଡ଼ିଛନ୍ତି ସେହି ସ୍ଥାନ ଜାଣି ପାରୁନାହାନ୍ତି। ପୁଲିସ କଂଟ୍ରୋଲ ରୁମରୁ ଖବର ଯାଇଥିଲା, ମଞ୍ଚେଶ୍ବର ଥାନା ଅଧୀନରେ ଥିବା ପିସିଆର ଭ୍ୟାନରେ ଥିବା ସୁକାନ୍ତ କୁମାର ହାତୀଙ୍କ ନିକଟକୁ। ଏହା ପରେ ହାବିଲଦାର ଶ୍ରୀ ହାତୀ ପିସିଆର ଡ୍ରାଇଭର୍ଙ୍କୁ ସାଙ୍ଗରେ ନେଇ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ବାଣୀବିହାର ଷ୍ଟେସନ୍ରୁ ମଞ୍ଚେଶ୍ବର ଷ୍ଟେସନ୍ ଆଡ଼କୁ ପାଖାପାଖି ୩ କିଲୋମିଟର ଟ୍ରେନ୍ ଲାଇନ କଡ଼ରେ ଚାଲି ଚାଲିଯିବା ପରେ ସେ ଦେଖିବାକୁ ପାଇଥିଲେ, ଉମେଶ ରକ୍ତାକ୍ତ ଅବସ୍ଥାରେ ସେମିତି ଟ୍ରେନ୍ ଲାଇନ କଡ଼ରେ ଛଟପଟ ହେଉଥାନ୍ତି।
ହାବିଲଦାର ଶ୍ରୀ ହାତୀ ସଂପୃକ୍ତ ଯୁବକଙ୍କୁ କାନ୍ଧରେ ୩ କିଲୋମିଟର ବୋହି ବୋହି ପିସିଆର ଭ୍ୟାନ୍ ନିକଟକୁ ଆଣିଥିଲେ। ଏହା ପରେ ସେ ଉମେଶଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଉମେଶ ଏବେ କଟକରେ ଚିକିତ୍ସିତ ଅଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version