ଭୁବନେଶ୍ୱର:ଦେଶର ତୈଳ କମ୍ପାନୀଗୁଡିକର ବାଓଫୁଏଲ ପ୍ରସ୍ତତ ନିଶା ଏବେ ଦେଶର ବିଦେଶୀ ମଦ ପ୍ରସ୍ତୁତକାରୀ କମ୍ପାନୀଗୁଡିକର ହୋସ ଉଡାଇଲାଣି। ମଦ କମ୍ପାନୀଗୁଡିକ କଞ୍ଚାମାଲର ଅଭାବ ଓ ମଦର ଦର ବୃଦ୍ଧି ଆଶଙ୍କା କଲେଣି।
ବର୍ତ୍ତମାନ କୋଭିଡ ଟିକସ ଯୋଗୁ କେତକ ରାଜ୍ୟରେ ମଦର ଦର ଚଢାରେ ଅଛି। ତେବେ କୋଭିଡ ପରବର୍ତ୍ତୀ ସମୟରେ ବିଦେଶୀ ମଦର ମୂଲ୍ୟ ବଢିବାର ସୁଚନା ମିଲିଲାଣି। ଵିଶେଷକରି ବିଦେଶୀ ମଦ ପ୍ରସ୍ତୁତ କଞ୍ଚା ମାଲର ଦର ବୃଦ୍ଧି ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହେବ ବୋଲି ମଦ ପ୍ରସ୍ତୁତ କମ୍ପାନୀଗୁଡିକ ସ୍ପଷ୍ଟ କରିଛନ୍ତି।
ବିଦେଶୀ ମଦ ପ୍ରସ୍ତୁତି ପାଇଁ ଏକ୍ସଟ୍ର। ନିଉଟ୍ରାଲ ଆଲକୋହଲ ବା ଇଏନଏ ବ୍ୟବହାର ହୁଏ। ଡ଼ିଷ୍ଟିଲରୀ କମ୍ପାନୀଗୁଡିକ ଏହି ଇଏନଏ ଯୋଗାଇ ଦେଇଥାନ୍ତି। ତେବେ ଡ଼ିଷ୍ଟିଲରୀ କମ୍ପାନୀଗୁଡିକ ଆଜିକାଲି ଅଧିକରୁ ଅଧିକ ଇଥୋନଲ ପ୍ରସ୍ତୁତ କରୁଥିବାରୁ ବଜାରରେ ଇଏନଏର ଅଭାବ ଦେଖା ଯାଉଛି।
ଇଥୋନଲ ଓ ଇଏନଏ ଗୋଟିଏ କଞ୍ଚାମାଲରୁ ପ୍ରସ୍ତୁତ ହୋଇଥାଏ। ତେବେ ବର୍ତମାନ ଏଥୋନଲର ଦର ବୃଦ୍ଧି ପାଉଥିବାରୁ ଡ଼ିଷ୍ଟିଲରୀ କମ୍ପାନୀଗୁଡିକ ଇଏନଏ ପରିବର୍ତ୍ତେ ଇଥୋନଲ ପ୍ରସ୍ତୁତ କରୁଛନ୍ତି।
ଦେଶର ପେଟ୍ରୋଲ ପ୍ରସ୍ତୁତକାରୀ କମ୍ପାନୀଗୁଡିକ ବାଓ-ଫୁଏଲ ପାଇଁ ଅଧିକ ରୁ ଅଧିକ ଇଥୋନଲ ଖରିଦ୍ କରୁଛନ୍ତି। ଏବଂ ପ୍ରତିବର୍ଷ ଇଥୋନଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି। ଏହା ଫଳରେ ଡ଼ିଷ୍ଟିଲରୀ କମ୍ପାନୀଗୁଡିକ ଇଏନଏ ଅପେକ୍ଷା ଅଧିକରୁ ଅଧିକ ଇଥୋନଲ ପ୍ରସ୍ତୁତ କରିବାରେ ଆଗ୍ରହ ପ୍ରକଶ କରୁଛନ୍ତି ବୋଲି ଭାରତୀୟ ବିଦେଶୀ ମଦ ପ୍ରସ୍ତୁତକାରୀ କମ୍ପାନୀ ମହାସଂଘ (ସିଆଇଏବିସି)ର ମହା ନିର୍ଦେଶକ ବିନୋଦ ଗିରି କହିଛନ୍ତି।
ଦେଶରେ ବର୍ତ୍ତମାନ ୫୦୦ ଡ଼ିଷ୍ଟିଲରୀ ବାର୍ଷିକ ୯୫୦ କୋଟି ଲିଟର ଉତ୍ପାଦନ କ୍ଷମତା ସୃଷ୍ଟି କରିଛନ୍ତି। ଏଥି ମଧ୍ୟରୁ ୭୦୦ କୋଟି ଲିଟର ପାନୀୟ ଯୋଗ୍ୟ। ବିଦେଶୀ ମଦ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକର ମୋଟ ଚାହିଦା ୨୦୦ କୋଟି ଲିଟର। ବର୍ତ୍ତମାନ ପାଇଁ କଞ୍ଚାମାଲର କୌଣସି ସମାସ୍ୟ ନାହିଁ ଭଳି ଜଣା ପଡୁଛି। ହେଲେ ଯେଉଁ ଦ୍ରୁତ ଗତିରେ ପେଟ୍ରୋଲ କମ୍ପାନୀଗୁଡ଼ିକ ଇଥୋନଲର ଦର ବୃଦ୍ଧି କରୁଛନ୍ତି ସେଥିରେ ଆଗାମୀ ଦିନରେ ଇଏନଏର ଅଭାବ ଦେଖାଦେଵ। ମଦ କମ୍ପାନୀଗୁଡ଼ିକୁ ଅଧିକ ଦରରେ କଞ୍ଚାମାଲ କିଣିବାକୁ ପଡିବ। ଫଳରେ ଵିଦେଶୀ ମଦର ଦର ବୃଦ୍ଧି ପାଇବ।