ରାଜ୍ୟ

ଦମନ : ନବୀନ ଦେଲେ କେନ୍ଦ୍ରକୁ ଦାବନ

Published

on

ଅତୀତରେ କେତେକ ନିର୍ଦ୍ଧିଷ୍ଟ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର କୋ÷ଣସି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଚାହିଁବା ବେଳେ ରାଜ୍ୟ ସରକାର ସେ କ୍ଷେତ୍ରରେ ନିଜସ୍ୱ ଯୋଜନା ଆରମ୍ଭ କରିଛନ୍ତି । ଉଭୟେ ନିଜ ନିଷ୍ପତିର ଯଥାର୍ଥତା ପ୍ରମାଣ ପାଇଁ ସବୁବେଳେ ଉଦ୍ୟମ କରିଆସିଛନ୍ତି । ନିକଟରେ ଏଭଳି ଏକ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହି ଯୋଜନାଟି ହେଲା- ଆୟୁଷ୍ମାନ୍ ଭାରତ ଯୋଜନା । କେନ୍ଦ୍ର ସରକାର ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିବାବେଳେ ରାଜ୍ୟ ସରକାର ତାହା ନକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ସମସ୍ତ ଗରିବ ଲୋକ ଉପକୃତ ହୋଇପାରିବେ ନାହିଁ ଏବଂ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଗଲେ ଏହି ଯୋଜନାର ସୁବିଧା ମିଳିବ ନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟବାସୀ ଅଧିକ ଉପକୃତ ହୋଇପାରିବେ ବୋଲି ଯୁକ୍ତି ବାଢ଼ି ନିଜ ନିଷ୍ପତିରେ ଅଟଳ ରହିଥିଲେ । ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାର ସବୁବେଳେ ରାଜ୍ୟ ସରକାରଙ୍କୁ ଦୋଷାରୋପ କରି ଆସିଛନ୍ତି । ରାଜ୍ୟ ସରକାରଙ୍କ ଦକ୍ଷତା ଓ ଏହାର ଉପଯୁକ୍ତ କାର୍ଯ୍ୟାନ୍ୱୟନକୁ ନେଇ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି । ତେବେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ନିଜସ୍ୱ ଯୋଜନା କାର୍ଯ୍ୟକ୍ରମ ସଫଳ ହୋଇଥିବା ଏକ ନିର୍ଦ୍ଧିଷ୍ଟ ଯୋଜନାରୁ ପ୍ରମାଣିତ ହେଉଛି । ଏହି ଯୋଜନାଟି ହେଲା- ଦମନ ବା ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ । ଫଳରେ ରାଜ୍ୟ ସରକାର ସଠିକ୍ ଢ଼ଙ୍ଗରେ ଓ ସଫଳ ଉପାୟରେ ଯେ ନିଜସ୍ୱ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରୁଛନ୍ତି ତାହା ସାବ୍ୟସ୍ତ ହୋଇଛି ।
ସଂପ୍ରତି ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ଓଡ଼ିଶା ସରକାରଙ୍କର ଦମନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରାଯାଇଛି । ସଂଗଠନର ରିପୋର୍ଟ ୨୦୧୭ରେ ଦର୍ଶାଯାଇଛି ଯେ, ୨୦୧୬-୧୭ ବର୍ଷରେ ଓଡ଼ିଶାରେ ମ୍ୟାଲେରିଆ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ଯୋଜନାରେ ଉଲ୍ଲେଖନୀୟ ସଫଳତା ମିଳିଛି । ରାଜ୍ୟ ସରକାରଙ୍କ ଏହି ସଫଳତା ପାଇଁ ଜାତୀୟ ମ୍ୟାଲେରିଆ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ମାଇଲ୍ଖୁଂଟ ସଦୃଶ ହୋଇଛି । ଏହି ରିପୋର୍ଟ ଅନୁଯାୟୀ ୨୦୧୬ ଜୁଲାଇରୁ ଡିସେମ୍ବର ତୁଳନାରେ ୨୦୧୭ର ସେହି ସମୟରେ ଓଡ଼ିଶାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୫୦% ହ୍ରାସ ପାଇ ୧ ଲକ୍ଷ ୫୬ ହଜାରରେ ପହଂଚିଛି । ଓଡ଼ିଶାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଏତେ କମିଥିବାରୁ ଜାତୀୟ ସ୍ତରରେ ଏହି ରୋଗୀଙ୍କ ସଂଖ୍ୟା ଅନୁରୂପ ସମୟ ମଧ୍ୟରେ ୨୪% ହ୍ରାସ ପାଇଛି ।
ଦୁର୍ଗମ ଅଂଚଳରେ ମ୍ୟାଲେରିଆ ସମ୍ପର୍କରେ ସଚେତନତା ବୃଦ୍ଧି ଏହାର ସଫଳ ନିଦାନ ଓ ଚିକିତ୍ସା ଯୋଗୁ ଏହା ସଫଳ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି । ମିଶନଶକ୍ତି ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ଏହି ସଫଳତାର ଅନ୍ୟତମ କାରଣ ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଯେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି, ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ରିପୋର୍ଟରୁ ପ୍ରମାଣିତ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version