ଭୁବନେଶ୍ୱର: ଓଡ଼ିଶାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠରେ ହେବାକୁ ଯାଉଥିବା ଦେଶ ସର୍ବ ବୃହତ ଭୂତଳ ତୈଳ ଭଣ୍ଡାର ଏବେ ଘରୋଇ କମ୍ପାନୀ ହାତକୁ ଟେକି ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।
ଦେଶର ତୈଳ ସୁରକ୍ଷା ବୃଦ୍ଧି କରିବାକୁ ୨୦୧୮ ମସିହାରେ କେନ୍ଦ୍ର ସରକାର ଓଡ଼ିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ଉଡୁପି ନିକଟସ୍ଥ ପାଡୁର ଠାରେ ଦୁଇଟି ବୃହତ ତୈଲ ଭଣ୍ଡାର ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ ମନ୍ତ୍ରଣାଳୟର ଉଦ୍ୟୋଗ ଇଣ୍ଡିଆନ ଷ୍ଟ୍ର।ଟାଜିକ ପେଟ୍ରୋଲିୟମ ରିଜର୍ଭସ ଲିମିଟେଡ଼ ଦ୍ଵାରା ଏହି ଦୁଇଟି ପ୍ରକଳ୍ପର କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇ କାମ ଆରମ୍ଭ ହୋଇଥିଲା।
ତେବେ ବର୍ତ୍ତମାନ ପରିବର୍ତିତ ପରିସ୍ଥିତିରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ଦୁଇଟିକୁ ଘରୋଇ ଉଦ୍ୟୋଗ ମାଧ୍ୟମରେ କରିବାକୁ ସ୍ଥିର କରିଛନ୍ତି। ଲିଜ- କଂସେସନ ପ୍ରକ୍ରିୟାରେ ପିପିପି ମୋଡରେ ଏହି ପ୍ରକଳ୍ପର କାର୍ଯ୍ୟାୟନ ପାଇଁଁ ଘରୋଇ କମ୍ପାନୀ ଚୟନ ପାଇଁ ସରକାର ଖୁବ ଶୀଘ୍ର ଟେଣ୍ଡର ଆହ୍ୱାନ କରିିବାକୁ ଯାଉଛନ୍ତି ବୋଲିି ଜଣାଯାଇଛି।
କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ବିଶାଖାପାଟଣା, ମାଙ୍ଗଲୁରୁ ଓ ପଡୁର ଠାରେ ମୋଟ ୫.୩୩ ନିୟୁତ ଟନ କ୍ଷମତାର ତୈଳ ଭଣ୍ଡାର ନିର୍ମାଣ କରିଥିଲେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧିନ ଅଏଲ ଇନଷ୍ଟ୍ରି ଡେଭଲପମେଣ୍ଟ ବୋର୍ଡର ଶତ ପ୍ରତିଶତ ମାଲିକାନାରେ ଥିବା ଇଣ୍ଡିଆନ ଷ୍ଟ୍ରେଟେଜିକ ପେଟ୍ରୋଲିୟମ ରିଜର୍ଭସ ଏହି ସବୁ ତୈଳ ଭଣ୍ଡାର ନିର୍ମାଣ କରିି ଏହାର ପରିଚାଳନା କରୁଛି।
କେନ୍ଦ୍ର ସରକାର ଦ୍ବିତୀୟ ପର୍ଯ୍ୟାୟରେ ଦେଶର ଭଣ୍ଡାର କ୍ଷମତା ଦୁଇ ଗୁଣ ଅର୍ଥାତ ୧୨.୮୩ ନିୟୁତ ଟନକୁ ବୃଦ୍ଧି କରିବାର ଯୋଜନା କରି ୯୯୫୨ କୋଟି ଟଙ୍କା ବ୍ୟୟରେ ଚଣ୍ଡିଖୋଲ ଠାରେ ୪ ନିୟୁତ ଟନ ଓ ୬୯୮୬ କୋଟି ଟଙ୍କା ବ୍ୟୟରେ ପାଡୁର ଠାରେ ୨.୫ ନିୟୁତ ଟନ କ୍ଷମତାର ଦୁଇଟି ଭୂତଲ ତୈଳ ଭଣ୍ଡାର ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ।
ତୈଳ ସଙ୍କଟ ସମୟରେ ବିଶେଷ କାରି ଯୁଦ୍ଧ ସମୟରେ ଏହି ତୈଳ ଟାଙ୍କି ଗଛିତ ତେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ।