ରାଜ୍ୟ

ଦେବସ୍ନାନ ପୂର୍ଣ୍ଣିମାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଚାରି ଥାକିଆ ଟ୍ରାଫିକ୍ ବ୍ୟବସ୍ଥା

Published

on

ପୁରୀ ୧୭/୬ :ଦେବସ୍ନାନ ପୂର୍ଣ୍ଣିମାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଚାରି ଥାକିଆ ଟ୍ରାଫିକ୍ ବ୍ୟବସ୍ଥା । ପ୍ରତି ଜୋନ୍ ଦାୟିତ୍ବରେ ଜଣେ ଲେଖା ଡିଏସପିଙ୍କୁ ଦାୟିତ୍ବ ଦିଆଯାଇଛି । ଜୋନ୍-୧କୁ ଚାରି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ଜୋନ୍-୨କୁ ତିନି, ଜୋନ୍-୩କୁ ଦୁଇ ଓ ଜୋନ୍-୪କୁ ୪ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର, ଏଏସ୍‌ଆଇଙ୍କୁ ରଖାଯାଇଛି । ଜୋନ୍‌-୪ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହର ବାହାର ଭିଡ଼ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଥିବାବେଳେ ସହର ଭିତର ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବାକି ତିନି ଜୋନ୍‌କୁ ଦାୟିତ୍ବ ଦିଆଯାଇଛି ।
ଜୋନ୍-୧ ଅଧୀନରେ ଅଠରନଳାଠାରୁ ଡାକ୍ତରଖାନା ଛକ ଭାୟା ନବକଳେବର ରୋଡ୍, ମାଟିଆପଡ଼ା, ରେଡକ୍ରସ ରୋଡ୍, ଜଟିଆବାବା ଛକ, ନରେନ୍ଦ୍ରକୋଣ, ବଡ଼ଦାଣ୍ଡ, ମାର୍କେଟ ଛକ, ସିଂହଦ୍ବାରଠାରୁ ଶ୍ରୀମନ୍ଦିର ଚାରିପାଖ, ମଙ୍ଗଳାଘାଟ, ବାଲିସାହି ରୋଡ୍ ଓ ଏଥିସହ ସଂଯୋଗ ଗଳିକନ୍ଦି ଦାୟିତ୍ବ ଦିଆଯାଇଛି । ଜୋନ୍-୨‌ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନୃସିଂହ ମନ୍ଦିର ଛକଠରୁ ସୁଭାଷ ବୋଷ ଛକ ଭାୟା ବାଲିଘାଟ, ଗ୍ରିଡ୍ ଷ୍ଟେସନ୍ ଛକ, ଆଇଟିଆଇ ଛକ, ସିଟି ରୋଡ୍, ମେଡିକାଲ୍ ଛକଠାରୁ ଗାଣ୍ଡୁଆଚଉରା ଭାୟା ଭିଆଇପି ରୋଡ୍, ସୁଭାଷ ବୋଷ ଛକ, ହରିହର ଛକ, ବେଳାମାର୍ଗ ରାସ୍ତା, ହନ୍ସ କୋକାପାମ ଏବଂ ଲୋକନାଥ ରୋଡରେ ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଛି ।
ଜୋନ-୩ରେ ଥିବା ଅଧିକାରୀଙ୍କୁ ଅଠରନଳାଠାରୁ ମାଳତୀପାଟପୁର, ବୀରହରେକୃଷ୍ଣପୁର ବଜାରଠାରୁ ବାଲିଘାଟ ଭାୟା ନୂଆ ନବକଳେବର ରୋଡ୍, ମାଳତୀପାଟପୁରଠାରୁ ହୋଟେଲ ତୋଷାଲି ସ୍ୟାଣ୍ଡ ଭାୟା ନୀଳାଚଳ ଲିଙ୍କ୍ ଓ ବାଲିଘାଟ ପର‌୍ୟ୍ୟନ୍ତ ଭାୟା ଗ୍ରିଡ୍ ଷ୍ଟେସନ୍ ଦାୟିତ୍ବ ଦିଆଯାଇଛି । ଜୋନ୍-୪ରେ ଥିବା ଅଧିକାରୀଙ୍କୁ ମାଳତୀପାଟପୁରଠାରୁ ଉତ୍ତରା ଛକ ଓ ଏହା ସହ ସଂଯୋଗ ରାସ୍ତାରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଛି ।
ପୁରୀ ଆସୁଥିବା ସମସ୍ତ ଚାରିଚକିଆ ଗାଡ଼ିମୋଟର ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ପୂର୍ଣ୍ଣ ହେବା ପରେ ଶରଧାବାଲିଠାରେ ଚାରିଚକିଆ ଗାଡ଼ିମୋଟର ପାର୍କିଂ କରିବେ । ଶରଧାବାଲି ପାର୍କିଂ ସ୍ଥାନ ପୂରଣ ହେବା ପରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଓ ଜିଲ୍ଲା ସ୍କୁଲଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସବୁ ଦୁଇଚକିଆ ବଡ଼ଦାଣ୍ଡ ପୌରପାଳିକା ମାର୍କେଟ୍ ଛକଠାରେ ପାର୍କିଂ କରିବେ । ଟାଉନ୍ ଥାନାଠାରୁ ମାର୍କେଟ୍ ଛକ ପର‌୍ୟ୍ୟନ୍ତ ଦୁଇଚକିଆ ଗାଡ଼ି ପାର୍କିଂ ହେବ ।‌
ଦୁଇ ଚକିଆ ଗାଡ଼ି ସବୁ ଫେରିବା ବେଳେ ମେଡିକାଲ୍ ଛକ ଦେଇ ଫେରିବେ । ରେଗୁଲାର ପା‌ସେଞ୍ଜର ବସ ସବୁ ପୌରସଂସ୍ଥା ବସଷ୍ଟାଣ୍ଡରେ ରହିବେ ଓ ପୂର୍ବ ଭଳି ଯାଆସ କରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version