ଡିବ୍ରୁଗଡ଼ ୨୫/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶର ଦୀର୍ଘତମ ରେଳ-ସଡ଼କ ପୋଲ ବୋଗିବିଲ ବ୍ରିଜର ଲୋକାର୍ପଣ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଶ୍ରୀ ମୋଦୀ ଏହାକୁ ଉଦ୍ଘାଟନ କରିଛନ୍ତି । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ସେତୁ ଏସିଆର ଦ୍ୱିତୀୟ ଦୀର୍ଘତମ ରେଳ-ସଡ଼କ ପୋଲ । ପୋଲଟିର ଲମ୍ବ ୪.୯୪ କିଲୋମିଟର । ତଳ ସ୍ତରରେ ରହିଛି ୨ ଲାଇନ ବିଶିଷ୍ଟ ବ୍ରଡଗଜ ରେଳଧାରଣା ଓ ଉପର ସ୍ତରରେ ୩ ଲେନ୍ ବିଶିଷ୍ଟ ରାସ୍ତା । ଏହା ସମ୍ପୂର୍ଣ୍ଣରୂପେ ୱେଲଡେଡ୍ ଷ୍ଟିଲ କଂକ୍ରିଟ୍ ମିଶ୍ରିତ ଗ୍ରିଡ୍ରେ ନିର୍ମିତ ହୋଇଛି । ଏହା ହେଉଛି ଏ ପ୍ରକାର ବୈଷୟିକ କୋ÷ଶଳରେ ନିର୍ମିତ ଦେଶର ପ୍ରଥମ ସେତୁ । ଏହା ଡିବ୍ରୁଗଡ଼ ଠାରୁ ଇଟା ନଗର (ନହରଲାଗୁନ)କୁ ସିଧାସଳଖ ସଂଯୋଗ କରୁଛି ।