ଆନ୍ଧ୍ରପ୍ରଦେଶ ୮/୬ : ପ୍ରଥମ ଥର ପାଇଁ ୫ଟି ଉପମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ହୋଇଛି ଆନ୍ଧ୍ରପ୍ରଦେଶ । ଆଜି ୫ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଜଗନମୋହନ ରେଡ୍ଡୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ୱାଇଏସଆର କଂଗ୍ରେସର ବିଧାୟକ ଦଳ ବୈଠକ କରିଥିଲେ । ବୈଠକରେ ସେ ୫ଟି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି କରିବା ନେଇ ଘୋଷଣା କରିଥିଲେ । ୫ ଡେପୁଟୀ ସିଏମ ଫର୍ମୂଲା ପଛର କାରଣ ହେଉଛି, ସବୁ ବର୍ଗ, ଜାତିକୁ ସନ୍ତୁଷ୍ଟ କରିବା ସହ ସନ୍ତୁଳନ ରକ୍ଷା କରିବା । ଅନୁସୂଜିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଅଳ୍ପ ସଂଖ୍ୟକ ଓ କାପୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧାର ଦେଶର କୌଣସି ରାଜ୍ୟରେ ୫ ଉପମୁଖ୍ୟମନ୍ତ୍ରୀ ହୋଇନାହନ୍ତି । ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ପଛୁଆ ବର୍ଗ ଓ କାପୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ ।