ଭୁବନେଶ୍ୱର ୧୧/୧୨ : ଏବେ ଦେଶ କଂଗ୍ରେସମୁକ୍ତ ନୁହେଁ, ବିଜେପିମୁକ୍ତ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି । ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି କ୍ଷମତା ହରାଇବା ଏବଂ ନିର୍ବାଚନରେ ଏହି ଦୁଇଟି ରାଜ୍ୟରେ କଂଗ୍ରେସ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ଦେଶକୁ କଂଗ୍ରେସମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର କହି ଆସିଥିବାରୁ ଶ୍ରୀ ପଟ୍ଟନାୟକ ଏହାର ପାଲଟା ଜବାବ ଦେଇ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଛତିଶଗଡ଼ରେ ଏବେ କଂଗ୍ରେସ ଶାସନ ଆସିଥିବାରୁ ସେଠା ସରକାରଙ୍କ ସହ ଏବେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ । ଓଡ଼ିଶାକୁ କିଭଳି ଆଶ୍ୱସ୍ତି ମିଳିବ ସେ ଦିଗରେ ପିସିସି ଉଦ୍ୟମ କରିବ । ଅପରପକ୍ଷରେ ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ଛତିଶଗଡ଼ରେ ମହାନଦୀ ସମସ୍ୟା କଂଗ୍ରେସ ଅମଳରୁ ହିଁ ଆରମ୍ଭ ହୋଇଛି ।