Nation

ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷା ବାତିଲ

Published

on

ଭୁବନେଶ୍ୱର: ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ।କରିଦିଆଯାଇଛି। ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କୋଭିଡ କାରଣରୁ ଦେଖାଦେଇଥିବା ଅନିଶ୍ଚିତ ପରିସ୍ଥିତି ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭଲ ଭାବେ ପରିଭାଷିତ ଏକ ଲକ୍ଷ୍ୟକୁ ନେଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରସ୍ତୁତ କରାଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସଂକ୍ରାନ୍ତରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି। ସେ କହିଥିଲେ ଯେ କୋଭିଡ-୧୯ ଶିକ୍ଷାବର୍ଷକୁ ପ୍ରଭାବିତ କରିଛି ଏବଂ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କ ମଧ୍ୟରେ ଏକ ଭୟ ରହିଛି, ଯାହାର ନିଶ୍ଚିତ ଭାବେ ଅନ୍ତ ହେବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ କୋଭିଡ କାରଣରୁ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କେତେକ ରାଜ୍ୟ ପ୍ରଭାବୀ ମାଇକ୍ରୋ କଣ୍ଟେନମେଣ୍ଟ ଜରିଆରେ ପରିସ୍ଥିତିକୁ ଭଲ ଭାବେ ପରିଚାଳନା କରୁଛନ୍ତି। କେତେକ ରାଜ୍ୟ ବର୍ତ୍ତମାନ ସୁଦ୍ଧା ଲକଡାଉନ ଜାରି ରଖିଛନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ନିଶ୍ଚିତ ଭାବେ ଚିନ୍ତିତ ରହିଥିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଏପରି ଚାପଯୁକ୍ତ ପରିସ୍ଥିତିରେ ପରୀକ୍ଷାରେ ବସିବା ଲାଗି ବାଧ୍ୟ କରାଯିବା ଅନୁଚିତ୍।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆମ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏ ଦିଗରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ସେ କହିଥିଲେ ଯେ ଆଜିର ଦିନରେ, ଏପରି ପରୀକ୍ଷା ଆୟୋଜନ କରି ଆମର ଯୁବପିଢ଼ିଙ୍କୁ ବିପଦରେ ପକାଇବା ଅନୁଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ସମସ୍ତ ଅଂଶୀଦାର ସମ୍ବେଦନଶୀଳତା ପ୍ରଦର୍ଶନ କରିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ଫଳାଫଳ ଭଲ ଭାବେ ପରିଭାଷିତ ନିୟମ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ସ୍ୱଚ୍ଛତାର ସହିତ ପ୍ରକାଶ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବ୍ୟାପକ ବିଚାରବିମର୍ଶ ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରିବା ସହ ସାରା ଭାରତରେ ସମସ୍ତ ଅଂଶୀଦାରମାନଙ୍କ ସହିତ ଆଲୋଚନା କରି ଏକ ଛାତ୍ର ଅନୁକୂଳ ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ ମତାମତ ଦେଇଥିବାରୁ ସେ ମଧ୍ୟ ରାଜ୍ୟଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ।

ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ପୂର୍ବ ବର୍ଷ ଭଳି, ଯଦି କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଚାହାନ୍ତି, ତା’ହେଲେ ପରିସ୍ଥିତି ଅନୁକୂଳ ହେଲେ ସେମାନଙ୍କୁ ସିବିଏସଇ ପକ୍ଷରୁ ଏହି ବିକଳ୍ପ ଯୋଗାଇ ଦିଆଯିବ।

ଆଜିର ବୈଠକରେ କେନ୍ଦ୍ର ଗୃହ, ପ୍ରତିରକ୍ଷା, ଅର୍ଥ, ବାଣିଜ୍ୟ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version