ଭୁବନେଶ୍ୱର ୨୯/୫ : ନବୀନଙ୍କ ପଞ୍ଚମ ପାଳିରେ ଆଜି ଶପଥ ନେବାକୁ ଯାଉଥିବା ମନ୍ତ୍ରିମଣ୍ଡଳରେ ସେମାନଙ୍କ ମଧ୍ୟରୁ ୮ ଜଣ ବାଦ୍ ପଡ଼ିଛନ୍ତି। ସେମାନେ ହେଲେ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ଉଷା ଦେବୀ, ଅନନ୍ତ ଦାସ, ଚନ୍ଦ୍ର ସାରଥୀ ବେହେରା, ନୃସିଂହ ଚରଣ ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ।
ପୁରୁଣା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢ଼ି ନ ଥିଲେ। ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ ରମେଶ ମାଝୀ ଏଥର ସାଂସଦ ଭାବେ ଲଢ଼ି ନିର୍ବାଚିତ ହୋଇଛନ୍ତି। ମନ୍ତ୍ରୀ ମହେଶ୍ବର ମହାନ୍ତି ନିଜ ପାରମ୍ପରିକ ଆସନ ପୁରୀରୁ ଏଥର ଲଢ଼ି ହାରିଯାଇଛନ୍ତି। ପୁରୁଣା ମନ୍ତ୍ରିମଣ୍ଡଳରୁ ୬ ଜଣଙ୍କୁ (ସୂର୍ୟ୍ୟ ପାତ୍ରଙ୍କୁ ଛାଡ଼ି) ନିଆଯାଇଥିଲା ବେଳେ ୮ ଜଣଙ୍କୁ କାହିଁକି ବାଦ୍ ଦିଆଗଲା, ତାହାକୁ ନେଇ ରାଜନୈତିକ ଆଲୋଚନା ଜୋର୍ ଧରିଛି। ପୁଅର ବିଭିନ୍ନ ଅପରାଧିକ କାର୍ୟ୍ୟ ନେଇ ବିବାଦରେ ଥିବା ବଦ୍ରି ନାରାୟଣ ପାତ୍ରଙ୍କୁ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ୍ କରିବାକୁ ସୁପ୍ରିମୋ ଚାହିଁ ନ ଥିବା କୁହାଯାଉଛି।
ଅନ୍ୟପଟେ, ଶଶିଭୂଷଣ ବେହେରାଙ୍କୁ ତାଙ୍କ ପୁରୁଣା ଆସନ ଜୟଦେବରେ ଏଥର ଲଢ଼ିବାକୁ ସୁଯୋଗ ଦିଆଯାଇ ନ ଥିଲା। ତାଙ୍କୁ କେନ୍ଦ୍ରାପଡ଼ାରେ ଟିକେଟ୍ ଦିଆଯାଇଥିଲା ଓ ସେ ଜିତିଥିଲେ। କିନ୍ତୁ ତାଙ୍କୁ କିମ୍ବା କେନ୍ଦ୍ରାପଡ଼ାରେ କାହାରିକୁ ମନ୍ତ୍ରୀ କରାଯାଇ ନାହିଁ। ଭଣ୍ଡାରୀପୋଖରୀରେ ପ୍ରଫୁଲ୍ଲ ସାମଲ ଏଥର ପିସିସି ସଭାପତିଙ୍କୁ ହରାଇଥିଲେ ବି ମନ୍ତ୍ରୀ ପଦ ଫେରି ପାଇ ନାହାନ୍ତି। ଉଷା ଦେବୀଙ୍କୁ ଅସୁସ୍ଥତା ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନି ବୋଲି କୁହାଯାଉଛି।