ଭୁବନେଶ୍ୱର ୨୬/୫ : ନବ ନିର୍ବାଚିତ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରରେ ବିଜେଡି ସାଂସଦଙ୍କର କଣ ରହିବ ଆଭିମୁଖ୍ୟ ସେ ନେଇ ପ୍ରସ୍ତୁତ ହୋଇଛି ରଣନୀତି । ସଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଓ ରାଜ୍ୟର ଅନ୍ୟ ପୂର୍ବ ଦାବି ଗୁଡିକୁ ସଂସଦରେ ଉଠାଇବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ଏହା ସହିତ ନବନିର୍ବାଚିତ ସାଂସଦମାନଙ୍କୁ ଶୁଭେଛା ଜଣାଇଛନ୍ତି ନବୀନ । ବୈଠକ ପରେ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ନବନିର୍ବାଚିତ ସାଂସଦଙ୍କ ସହିତ ଫଟୋ ଉଠାଇଥିଲେ ।
ତେବେ ସଂସଦୀୟ ଦଳ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ନବନିର୍ବାଚିତ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ସେ କହିଛନ୍ତି ବିଜେଡି ସଂସଦୀୟ ଦଳ ବୈଠକ ସରିବା ପରେ ସାଂସଦ ଅନୁଭବ ମହାନ୍ତି କହିଛନ୍ତି ରାଜ୍ୟର ଉନ୍ନତି ସେମାନଙ୍କ ଫୋକସରେ ରହିବ । ବିଜୁ ଜନତା ଦଳ ଯାହା ପୁରୁଣା ଆଭିମୁଖ୍ୟ ରଖିଥିଲା ତାହା ବଜାୟ ରଖିବ । ରାଜ୍ୟର ନ୍ୟାର୍ୟ୍ୟ ଦାବି ପାଇଁ ଲଢ଼େଇ ଜାରି ରଖିବେ । କେନ୍ଦ୍ରାପଡାରେ ରେଳଲାଇନ ପ୍ରସଙ୍ଗକୁ ସଂସଦରେ ଉଠାଇବେ ବୋଲି କହିଛନ୍ତି ଅନୁଭବ ।
ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରତିକ୍ରିୟା ରଖିଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ସଂସଦରେ ଉଠାଇବେ ବୋଲି କହିଛନ୍ତି ଚନ୍ଦ୍ରଶେଖର । କେନ୍ଦୁଝରରୁ ସଂସଦକୁ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି ଚନ୍ଦ୍ରାଣି ମୁର୍ମୁ । ସଂସଦୀୟ ଦଳ ବୈଠକ ପରେ ଚନ୍ଦ୍ରାଣି କହିଛନ୍ତି କେନ୍ଦୁଝରର କିଭଳି ବିକାଶ ହୋଇପାରିବ ସେ ନେଇ ସଂସଦରେ ଦାବି ଉଠାଇବେ ।