ସ୍ପେଶାଲ ରିପୋର୍ଟ

ନାଗରିକତା ସଂଶୋଧନ ଆଇନ ବିରୋଧରେ ୧୯– ବାମପନ୍ଥୀ ଆନ୍ଦୋଳନକୁ ସଫଳ କର –ସିପିଆଇ

Published

on

ଭୁବନେଶ୍ୱର: ପାର୍ଲାମେଣ୍ଟର ଉଭୟ ସଦନରେ ପାସ୍ ହୋଇଥିବା ନାଗରିକତା ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ ।  ଏହା ଭାରତର ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ । ଏହି ନାଗରିକ ସଂଶୋଧନ ଆଇନ ଓ ସାମ୍ପ୍ରଦାୟିକ ବିଭାଜନକାରୀ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ଆସନ୍ତା ଡିସେମ୍ବର ୧୯ ତାରିଖରେ ବାମପନ୍ଥୀମାନଙ୍କ ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ ସିପିଆଇ ଆହ୍ୱାନ ଦେଇଛି ।

ଗତକାଲି ଓ ଆଜି ୨ଦିନ ଧରି ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ ପରିଷଦ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି ।

ମହିଳାମାନଙ୍କ ବିରୋଧରେ ହେଉଥିବା ବ୍ୟାପକ ହିଂସା, ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ଅପରାଧୀମାନଙ୍କୁ ତ୍ୱରିତ କଠୋର ଦଣ୍ଡ ପ୍ରଦାନ ପାଇଁ ସିପିଆଇ ପକ୍ଷରୁ ସାବିତ୍ରୀବାଈ ଫୁଲେଙ୍କ ଜନ୍ମଦିନ ଜାନୁୟାରୀ ୩କୁ ଦେଶ ବ୍ୟାପୀ ‘ନାରୀ ସୁରକ୍ଷା ଦିବସ’ ରୂପେ ପାଳନ କରିବା ପାଇଁ ଡାକରା ଦିଆଯାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ପ୍ରତ୍ୟେକ ଜିଲ୍ଲାରେ ଏହା ପାଳିତ ହେବ ।

ମୋଦି ସରକାରଙ୍କ ଅର୍ଥନୈତିକ ନୀତି, ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ଓ ମାନ୍ଦାବସ୍ଥା, ଉକ୍ରଟ ବେକାରୀ ଓ ଦରବୃଦ୍ଧି ଏବଂ ଶ୍ରମିକ ଓ କୃଷକ ବିରୋଧୀ ନୀତି ଓ କାର୍ଯ୍ୟ ବିରୋଧରେ ଆସନ୍ତା ଜାନୁୟାରୀ ୮ ତାରିଖଦିନ ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନେ ଯେଉଁ ଦେଶ ବ୍ୟାପୀ ହରତାଳ ଓ ୨୦୦ରୁ ଊଦ୍ଧ୍ୱର୍ କୃଷକ ଓ କ୍ଷେତ ମୂଲିଆ ସଙ୍ଗଠନ ‘ଗ୍ରାମୀଣ ଭାରତ ବନ୍ଦ’ର ଡାକରା ଦେଇଛନ୍ତି ସେଥିରେ ସିପିଆଇ ସକ୍ରିୟ ଭାବେ ସାମିଲ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ଏହା ପୂର୍ବରୁ ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଜନ ବିରୋଧୀ ଆର୍ଥିକ ନୀତି ବିରୋଧରେ ପାର୍ଟି ସପ୍ତାହ ବ୍ୟାପୀ ଗଣ ଅଭିଯାନ ଚଳାଇବ ।

ଏହା ବ୍ୟତୀତ ଆସନ୍ତା ଫେବୃୟାରୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପୀ ଗଣ ପାର୍ଟି ପାଣ୍ଠି ସଂଗ୍ରହ ଅଭିଯାନ ଚଳାଯିବ ଏବଂ ପାର୍ଟିର ପ୍ରତ୍ୟେକ ଶାଖା ଏଥିରେ ସାମିଲ ହେବା ପାଇଁ ରାଜ୍ୟ ପରିଷଦରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ରାଜ୍ୟ ପରିଷଦର ଏହି ଅଧିବେଶନରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗ , ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଏବଂ ପ୍ରଶାନ୍ତ ମିଶ୍ର, ଜାତୀୟ ପରିଷଦ ସଭ୍ୟ ସୌରୀବଂଧୁ କର, ଅଭୟ ସାହୁ ଓ ଅଶୋକ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version