ବଡ଼ଗଡ଼ ୭/୬ : ନାଗ ସହ ୨ ଘଣ୍ଟା ଲଢ଼ିଲା କୁକୁର। ନାଗକୁ ଗ୍ୟାରେଜରୁ ଘର ପର୍ୟ୍ୟନ୍ତ ଯିବାକୁ ଦେଲାନି। ଶେଷରେ ସ୍ନେକ୍ ହେଲ୍ପ ଲାଇନ୍ ସାପକୁ ଉଦ୍ଧାର କଲା। ତା ପରେ ଯାଇ ଘାଇଲା ହୋଇ ଶୋଇ ପଡ଼ିଲା କୁକୁର(ଟଫି)। ଗତକାଲି ଅପରାହ୍ଣରେ ବଡ଼ଗଡ଼ କେନାଲ ରୋଡ୍ରେ ସାପ ସହ ଲଢ଼େଇର ଏହି ଦୃଶ୍ୟ ଦେଖିବାକୁ ମିଳିଛି। କୁକୁର ମାଲିକ କେନାଲ ରୋଡ୍ ପତିତପାବନ ନଗରର ସମ୍ବିତ ଦାସ ବୋଲି ଜଣାପଡ଼ିଛି। ମାଲିକଙ୍କ ଗ୍ୟାରେଜରେ ସାପ ଥିବା ଦେଖିବା ପରେ ସେ ତାକୁ ଆକ୍ରମଣ କରିଥିଲା। ସାପ ଘରକୁ ପଶୁଥିବା ବେଳେ ତା’ର ବାଟ ଓଗାଳିଥିବାରୁ ଏହି ଯୁଦ୍ଧ ହୋଇଥିଲା।
ସାପ ପଶିବାକୁ ଉଦ୍ୟମ କରୁଥିବା ବେଳେ ପଛପଟୁ କୁକୁର ଆକ୍ରମଣ କରୁଥିଲା। କୁକୁର ଆକ୍ରମଣ ଦେଖି ସାପ ବୁଲିପଡ଼ି କୁକୁରକୁ ଚୋଟ ମାରିବାକୁ ଉଦ୍ୟମ କରୁଥିଲା। ସାପ ପଛକୁ ଯେତିକି ବେଗରେ ଚୋଟ ମାରିବାକୁ ବୁଲୁଥିଲା ତା’ ଠାରୁ ଅଧିକ ବେଗରେ କୁକୁର ପଛକୁ ଡେଇଁ ପଡ଼ୁଥିଲା। ଦୀର୍ଘ ସମୟ ଧରି ଏହି ଛକାପଞ୍ଝା, ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଥିଲା। ତେବେ ଏହି ଆକ୍ରମଣରେ ଉଭୟ ଆହତ ହୋଇଛନ୍ତି। ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି। ସାପ ଦେହରେ ୮ଟି ଗଭୀର ଦାଗ ରହିଥିବା ବେଳେ କୁକୁର ଦେହରେ ମଧ୍ୟ ସାପ ଚୋଟ ବାଜିଥିବା ସନ୍ଦେହ କରି ମାଲିକ ତାକୁ ଚିକିତ୍ସା କରାଇଛନ୍ତି। କୁକୁରର ଓଜନ ୧୮ କେଜି ହୋଇଥିବା ପେବଳେ ତା’ର ବୟସ ୩ବର୍ଷ ୬ମାସ।