ମୟୁରଭଞ୍ଜ ୧୪/୧ : ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଓ ଝାରପୋଖରିଆ ଅଂଚଳରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁଇଜଣ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ହାତରେ ପ୍ରାଣ ହରାଇଛନ୍ତି । ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଗାଁରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତା’ ଜେଜେବାପାଙ୍କୁ ହତ୍ୟା କରିଥିବାବେଳେ ଝାରପୋଖରୀଆ ଥାନା ପାକଟିଆ ଗାଁରେ ଜଣେ ଯୁବକ ତା’ ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦାନ୍ତିଆମୁହାଁ ଗାଁର ଯୁବକ ରାମଚନ୍ଦ୍ର ଦେହୁରୀ ହାଣ୍ଡିଆ ପିଇ ଆସିବା ପରେ ଜେଜେବାପାଙ୍କୁ ମକର ଖର୍ଚ୍ଚ ମାଗିଥିଲା । ଜେଜେବାପା ଟଙ୍କା ନ ଦେବାରୁ ବେଣୁଧର ଜେଜେମା’ଙ୍କୁ ପିଟିଥିଲା । ଜେଜେବାପା ବିରୋଧ କରିବାରୁ ସେ ଏକ କାଠ ଫାଳିଆରେ ଜେଜେବାପାଙ୍କୁ ମାଡ଼ ମାରିବା ସହ ତାଙ୍କ ବେକରେ କାଠ ଫାଳିଆକୁ ପକାଇ ଚିପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜେଜେବାପା ବେଣୁଧର ଦେହୁରିଙ୍କ ମୃତ୍ୟୁ ଘଟିଥିଲା ।
ଅନ୍ୟଏକ ଘଟଣାରେ ଗତକାଲି ରାତିରେ କରଜ ଟଙ୍କାକୁ ନେଇ ପାକଟିଆ ଗାଁର ଯୁବକ ଜଗନ୍ନାଥ ନାୟକଙ୍କ ସହ ତାଙ୍କ ଭାଉଜ ସୁକଦେବୀ ନାୟକଙ୍କ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଜଗନ୍ନାଥ ଉତକ୍ଷିପ୍ତ ହୋଇ ଏକ କୁରାଢ଼ିରେ ଭାଉଜଙ୍କୁ କେତେ ଚୋଟ ପକାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୁକଦେବୀ ପ୍ରାଣ ହରାଇଥିଲେ । ଜଗନ୍ନାଥ ଆଜି ସକାଳୁ ଥାନାରେ ଆତ୍ମସମର୍ପଣ କରିଛି ।