Entertainment

ନିମାପଡାରେ ତିନି ଦିନିଆ ସାଂସ୍କୃତିକ ମହୋତ୍ସବ ଉଦ୍‌ଯାପିତ

Published

on

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଭାଗବତ ଦୋଳମଣ୍ଡପ ପ୍ରାଙ୍ଗଣରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଣାଳୟ ସହଯୋଗରେ ନାରୀଶକ୍ତି ସାମାଜିକ ଅନୁଷ୍ଠାନ ପକ୍ଷରୁ ତିନି ଦିନ ବ୍ୟାପି ଆୟୋଜିତ ହୋଇ ଯାଇଛି ସାଂସ୍କୃତିକ ମହୋତ୍ସବ। ଏହି ମହୋତ୍ସବରେ ପାଲା, ଯୋଡ଼ିଶଙ୍ଖ ନାଚ, ଘୋଡ଼ାନାଚ, ଧୁଡ଼ୁକି, ଆଲୋଚନାଚକ୍ର ଏବଂ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ହଜିଯାଉଥିବା ଲୋକକଳାର ପୁନଃରୁଦ୍ଧାର ସହ ପୁଣିଥରେ ଏହି ଲୋକକଳାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହି ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ସଙ୍ଗଠନର ସମ୍ପାଦିକା ମମତା ମଞ୍ଜରୀ ସାମଲ।


ତିନି ଦିନ ବ୍ୟାପି ଅନୁଷ୍ଠିତ ଏହି ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଇଞ୍ଜିନିୟରିଂ କଲେଜର ପ୍ରତିଷ୍ଠାତା ପ୍ରତାପଚନ୍ଦ୍ର ସାମନ୍ତରାୟ ଯୋଗଦେଇ କାର୍ଯ୍ୟକ୍ରମକୁ ବେଶ୍‌ ପ୍ରଶାଂସା କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଓଡ଼ିଶାର ଯୁବ ସାମ୍ବାଦିକ ତଥା ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଉର୍ଦ୍ଦୁ ଦୈନିକ ଖବରକାଗଜ ଅଖବାରନାମାର ସମ୍ପାଦକ ଶେଖ ରିଆଜ୍‌ ମହମ୍ମଦ ଯୋଗଦେଇ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଲୁପ୍ତ ହୋଇଯାଇଥିବା ଏହି ସାରସ୍ବତ କଳାର ପୁନଃରୁଦ୍ଧାର ପାଇଁ ସରକାର ଓ ସଂଗଠନର ଭୂୟସୀ ପ୍ରଶଂସା କରିବା ସହ ଏ କ୍ଷେତ୍ରରେ ନିଜ ତରଫରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସନ୍ତୋଷ କୁମାର ସାହୁ ଏବଂ ସ୍ବତନ୍ତ୍ର ସମ୍ମାନିତ ଅତିଥିଭାବେ ବିଶିଷ୍ଟ ଚିକିତ୍ସକ ଡା. କୃଷ୍ଣ କୁମାର ମହାନ୍ତି ଯୋଗଦେଇଥିଲେ।

ଏହି ଅବସରରେ ବରିଷ୍ଠ ଚିକିତ୍ସକ ଓ ସମାଜସେବୀ ଡା କେ କେ ମହାନ୍ତିଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା। ମହୋତ୍ସବରେ ଅଂଶଗ୍ରହଣକାରୀମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବନମାଳୀ ବେହେରା ଓ ବିଜୟ କୁମାର ସ୍ୱାଇଁ।

Leave a Reply

Your email address will not be published. Required fields are marked *

Trending

Exit mobile version