ରାଜ୍ୟ

ନିର୍ବାଚନରୁ ବଞ୍ଚିତ ହେବେ ୨ ଲକ୍ଷ ଦାଦନ ଶ୍ରମିକ

Published

on

ଭୁବନେଶ୍ୱର ୧୮/୩ : ପଶ୍ଚିମ ଓଡ଼ିଶାର ୨ ଲକ୍ଷ ଦାଦନ ଶ୍ରମିକ ନିର୍ବାଚନରୁ ବଞ୍ଚିତ ହେବେ । ନିର୍ବାଚନ ସମୟରେ ଏମାନେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ସମେତ ବିଭିନ୍ନ ରାଜ୍ୟକୁ କାମ ପାଇଁ ଯାଇଥିବାରୁ ସେମାନେ ରାଜନୈତିକ ଅଧିକାରରୁ ବଞ୍ଚିତ ହେବ ବୋଲି କହିଛି ଏଡେଡ ଏକ୍ସନ ଏଡ। ୨୦୧୪ ନିର୍ବାଚନରେ ବାହାର ରାଜ୍ୟରେ କାର‌୍ୟ୍ୟ କରୁଥିବା ଶ୍ରମିକମାନେ ଭୋଟ ଅଧିକାରରୁ କିଭଳି ବଞ୍ଚିତ ନହୁଅନ୍ତି ସେଥିପାଇଁ ସୁନିଶ୍ଚିତ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ଓଡ଼ିଶା ନିର୍ବାଚନ କମିସନକୁ ନିର୍ଦେଶ ହୋଇଥିଲା। ମାତ୍ର ସେତେବେଳେ ଏହି ନିର୍ଦେଶ କାର‌୍ୟ୍ୟକାରୀ ହୋଇନଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ଦାଦନ ଶ୍ରମିକଙ୍କ ମତଦାନ ଅଧିକାର ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦେଶ ନେଇ ସୂଚନା ମିଳିନଥିବା ସମ୍ବଲପୁର ଉପଜିଲ୍ଲାପାଳ କହିଛନ୍ତି।
ବିଧାନସଭାରେ ଜାରି ରିପୋର୍ଟ ଅନୁସାରେ, ରାଜ୍ୟରେ ବାହାର ରାଜ୍ୟକୁ କାର‌୍ୟ୍ୟପାଇଁ ଯାଇଥିବା ପଞ୍ଜୀକୃତ ଶ୍ରମିକ ସଂଖ୍ୟା ୨୦୦୯ରେ ୮୮ ହଜାର ୩୯୭, ୨୦୧୦ରେ ୧ଲକ୍ଷ ୨ ହଜାର ୧୭୭, ୨୦୧୧ରେ ୯୧ ହଜାର ୮୭୨, ୨୦୧୨ରେ ୧ଲକ୍ଷ ୫ହଜାର୪୨୭, ୨୦୧୩ରେ ୧ଲକ୍ଷ ୨୬ ହଜାର ୬୬୧, ୨୦୧୪ରେ ୧ଲକ୍ଷ ୪୫ ହଜାର୮୫୩, ୨୦୧୫ରେ ୧ଲକ୍ଷ ୪୬ହଜାର ୬୭୬, ୨୦୧୬ରେ ୧ଲକ୍ଷ ୩ ହଜାର ୯୨୭, ୨୦୧୭ରେ ୧ଲକ୍ଷ ୫୩ ହଜାର ୩୬୩ ରହିଛି। ପଞ୍ଜୀକୃତ ଶ୍ରମିକ ସଂଖ୍ୟା ଏତେକି ହୋଇଥିବା ବେଳେ ବିନା ଅନୁମତିରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ସଂଖ୍ୟା ଆହୁରି ଅନେକ।
୨୦୧୭ ମସିହାରେ ବରଗଡ଼ ଜିଲ୍ଲାର ପଞ୍ଜୀକୃତ ଦାଦନ ଶ୍ରମିକ ସଂଖ୍ୟା ଶୂନ୍ୟ ଅଟେ। ମାତ୍ର ବର୍ତ୍ତମାନ ସ୍ଥିତିରେ ବରଗଡ଼ ଜିଲ୍ଲାର ଅଣଜଳସେଚିତ ପଦମପୁର ଠାରୁ ଆରମ୍ଭ କରି ଜଳସେଚିତ ଅତାବିରା ବ୍ଲକ ପର‌୍ୟ୍ୟନ୍ତ ସବୁଠି କେତେ ଯେ ଶ୍ରମିକ ବାହାରକୁ ଯାଉଛନ୍ତି ତାର ହିସାବ ନାହିଁ। ଏପରିକି ବିଭିନ୍ନ ସମୟରେ ସେମାନେ ନିର‌୍ୟାତନାର ଶିକାର ହୋଇ ଉଦ୍ଧାର ହେବା ଘଟଣା ଲୋକ ଲୋଚନକୁ ଆସୁଛି। ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରେ ସର୍ବାଧିକ ବଲାଙ୍ଗୀର, ବରଗଡ଼, ନୂଆପଡ଼ା, କଳାହାଣ୍ଡିର ରହୁଛନ୍ତି। ଏପରିକି କିଛି ବର୍ଷ ହେଲା ସମ୍ବଲପୁର ଜିଲ୍ଲାରେ ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପଞ୍ଜୀକୃତ ଏହି ଶ୍ରମିକ ମଧ୍ୟରେ କେବଳ ପରିବାରର ଜଣଙ୍କ ନାଁ ରହୁଥିବା ବେଳେ ପ୍ରତ୍ୟେକ ପରିବାରରେ ସ୍ବାମୀ, ସ୍ତ୍ରୀଙ୍କ ସହିତ ସନ୍ତାନମାନେ ମଧ୍ୟ ଯାଇଥାଆନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version