ନୂଆଦିଲ୍ଲୀ ୩୧/୫ : ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ଆଉ ଏହାସହ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି ନିର୍ମଳା ।
ମୋଦିଙ୍କ ପ୍ରଥମ ପାଳିରେ ନିର୍ମଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା । ନିର୍ମଳା ମନ୍ତ୍ରୀ ଥିବା ବେଳେ ପାକିସ୍ତାନରେ ଏୟାରଷ୍ଟ୍ରାଇକ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା । ଆଉ ସେତେବେଳେ ଏଭଳି ସାହସିକ ପଦକ୍ଷେପ ପାଇଁ ଚର୍ଚ୍ଚାରେ ରହିଥିଲେ ନିର୍ମଳା । ଏପରିକି ମୋଦି ସରକାରରେ ପ୍ରଥମ ଥର ପାଇଁ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ନିର୍ମଳା । ତେବେ ନିର୍ମଳାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ କିଛି ସମୟ ପାଇଁ ଅର୍ଥ ଓ ପ୍ରତିରକ୍ଷା ବିଭାଗ ନିଜ ପାଖରେ ରଖିଥିଲେ । କିନ୍ତୁ ଅର୍ଥ ବିଭାଗର କ୍ୟାବିନେଟ ଦାୟିତ୍ୱ ନିର୍ମଳାଙ୍କୁ ମିଳିଥିବାରୁ ଆଗାମୀ ୫ ବର୍ଷ ପର୍ୟ୍ୟନ୍ତ ସେ ଏହି ଦାୟିତ୍ୱରେ ରହିପାରନ୍ତି ।