ପୁରୀ ୧୩/୬ : ମହାପ୍ରଭୁ ରଥଯାତ୍ରାରେ ଶ୍ରୀମନ୍ଦିରରୁ ବାହାରିଲା ପରେ ମରାମତି କାର୍ୟ୍ୟ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଏସ୍ଆଇ ଓ ପୂର୍ତ୍ତ ବିଭାଗକୁ ସେହି ଅନୁଯାୟୀ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ରୁ କାମ ଆରମ୍ଭ ହୋଇ ୧୪ରେ ସରିବ। ଏଏସ୍ଆଇ ଓ ପୂର୍ତ୍ତ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନର ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ୪ ତାରିଖରେ ଶ୍ରୀଜୀଉ ରଥାରୁଢ଼ ହେଲା ପରେ ମରାମତି ପ୍ରକ୍ରିୟା ଆରମ୍ଭ ହେବ। ୫ ଓ ୬ ତାରିଖରେ ଏଏସ୍ଆଇର ବିଶେଷଜ୍ଞ, ଅଧିକାରୀ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଟିମ୍ ମନ୍ଦିର ଭିତରେ ଯାଞ୍ଚ୍ କରିବ। ସମସ୍ତେ ଧୋତି ପିନ୍ଧି ମନ୍ଦିରରେ ପ୍ରବେଶ କରିବେ।
ନୀଳଚକ୍ରରେ ଥିବା ମରାମତି କାର୍ୟ୍ୟ ସହ ନାଟମଣ୍ଡପ, ଜଗମୋହନ, ଗର୍ଭଗୃହ, ରୋଷଘର ଆଦି ତନ ତନ କରି ଯାଞ୍ଚ୍ ହେବ। ଯେଉଁଠି ମରାମତି ଆବଶ୍ୟକ ଥିବ, ତାହାର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ। ୭ ତାରିଖରେ ହିଁ କାମ ଆରମ୍ଭ ହେବ। ମରାମତି କାର୍ୟ୍ୟ ସହ ବିଦ୍ୟୁତ ଭିତ୍ତିଭୂମିର ମରାମତି କାର୍ୟ୍ୟ ମଧ୍ୟ କରାଯିବ। ୧୪ ତାରିଖ ସୁଦ୍ଧା ସମସ୍ତ କାର୍ୟ୍ୟ ଶେଷ ହେବ। ୧୫ ତାରିଖ ନୀଳାଦ୍ରି ବିଜେ ପୂର୍ବରୁ ଏଏସ୍ଆଇ ସମସ୍ତ କାର୍ୟ୍ୟ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ।