ଜୟପୁର ୧୬/୫ : ପାକିସ୍ତାନ ବିରୋଧରେ ହୋଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ ଉପରେ କଂଗ୍ରେସ ଅନେକ ପ୍ରଶ୍ନ କରୁଥିଲେ ମଧ୍ୟ କଂଗ୍ରେସ ଶାସିତ ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ଏକ ପୁସ୍ତକରେ ଶତ୍ରୁ ଦେଶ ଯାଇ ନିଜର ଅଦ୍ୟମ ସାହାସ ଓ ଧୈର୍ୟ୍ୟ ଦେଖାଇଥିବା ଅଭିନନ୍ଦନଙ୍କ ବୀରତ୍ଵର କାହାଣୀକୁ ସାମିଲ କରିଛି। ଚଳିତ ବର୍ଷ ଜୁଲାଇରୁ ଆରମ୍ଭ ହେଉଥିବା ନୂତନ ଶିକ୍ଷା ବର୍ଷରେ ଛାତ୍ର-ଛାତ୍ରୀ ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ ପଢିବେ।
ଏହି ବିଷୟରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, ଦେଶର ବୀର ଅଭିନନ୍ଦନଙ୍କ କାହାଣୀ ତାଙ୍କର ପାକିସ୍ତାନରୁ ଫେରିବା ପରେ ରାଜସ୍ଥାନର ମାଧ୍ୟମିକ ବୋର୍ଡର ପୁସ୍ତକରେ ସାମିଲ କରାଯିବାକୁ ସୁପାରିଶ କରାଯାଇଥିଲା। ଏବେ ଚଳିତ ବର୍ଷଠୁ ରାଜ୍ୟର ନବମ ଶ୍ରେଣୀର ଛାତ୍ର-ଛାତ୍ରୀ ଅଭିନନ୍ଦନଙ୍କ ଶୌର୍ୟ୍ୟ ଓ ବୀରତ୍ଵର ଗାଥା ନିଜର ସାମାଜିକ ବିଜ୍ଞାନ ବହିରେ ପଢିବେ।
ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ନବମ ଶ୍ରେଣୀର ସାମାଜିକ ବିଜ୍ଞାନରେ ଅଭିନନ୍ଦନଙ୍କ କାହାଣୀ “ରାଷ୍ଟ୍ରୀୟ ସୁରକ୍ଷା ଏବଂ ଶୌର୍ୟ୍ୟ ପରାକ୍ରମ” ନାମକ ଚାପଟର ବିନା କୌଣସି ଶୀର୍ଷକ ସହିତ ସାମିଲ କରିଛି। ଅଭିନନ୍ଦନଙ୍କ ଏହି କାହାଣୀରେ ପୁଲଓ୍ଵାମା ହମଲା ପରେ ଭାରତ ଦ୍ଵାରା ପାକିସ୍ତାନର ବାଲାକୋଟରେ ଜୈଶ ଇ ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।